ଓଡ଼ିଶାଲାଇଭ୍ ବ୍ୟୁରୋ

ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ବାଛିବାରେ ଫିକ୍ସିଂ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଅସାଧୁ କଲେଜମାନଙ୍କଠୁ ଟଙ୍କା ନେଇ ବୋର୍ଡ ପରୀକ୍ଷା କେନ୍ଦ୍ର ବାଛିଚି ବୋଲି ଅଭିଯୋଗ ଆଣିଛନ୍ତି ପରୀକ୍ଷା କମିଟିର ସଦସ୍ୟମାନେ।

ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ବାଛିବା ନେଇ ଶୁକ୍ରବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା କମିଟିର ବୈଠକ ବସିଥିଲା। ଏହି ବୈଠକରେ କମିଟିର ସଦସ୍ୟ ତଥା କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ପରୀକ୍ଷା କେନ୍ଦ୍ର ଚୟନକୁ ନେଇ ଅଭିଯୋଗ ଆଣିଛନ୍ତି।ସେ କହିଛନ୍ତି, “ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ପାଇଁ ପରୀକ୍ଷା କମିଟି ଗୋଟିଏ ତାଲିକା ପ୍ରସ୍ତୁତ କରିଥିଲା। ସେହି ତାଲିକାରେ ଗତବର୍ଷ କପି ଯୋଗାଉଥିବା କଲେଜମାନଙ୍କୁ ସ୍ଥାନ ଦିଆଯାଇନଥିଲା। ହେଲେ ବୋର୍ଡର କିଛି ସଦସ୍ୟ ଅସାଧୁ ଉପାୟରେ କଲେଜମାନଙ୍କଠୁ ଟଙ୍କା ନେଇ ନୂଆ ତାଲିକା ପ୍ରସ୍ତୁତ କରିଛନ୍ତି।”

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ବୋର୍ଡ ଯେଉଁ ନୂଆ ତାଲିକା ପ୍ରସ୍ତୁତ କରିଛି ସେଥିରେ ଏଭଳି ଅନେକ କଲେଜକୁ ସ୍ଥାନ ଦିଆଯାଇଛି, ଯେଉଁ କଲେଜରେ ଗତବର୍ଷ ପିଲାମାନେ କପି କରି ଧରା ପଡ଼ିଛନ୍ତି। ବୋର୍ଡ ଟଙ୍କା ନେଇ ଏହି କଲେଜମାନଙ୍କୁ ତାଲିକାରେ ସାମିଲ କରିଛି ବୋଲି ସନ୍ତୋଷ ସିଂହ ସାଲୁଜା ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସଦସ୍ୟ କହିଛନ୍ତି ଯେ ବୋର୍ଡ ବିଭିନ୍ନ ପ୍ରକାର ସୁବିଧାସୁଯୋଗକୁ ଆଖି ଆଗରେ ରଖି ସେଣ୍ଟର ବାଛିଚି। ପରୀକ୍ଷା କମିଟିର ସଦସ୍ୟମାନେ ଯେଉଁ ଫିକ୍ସିଂ ହେବା ନେଇ ଅଭିଯୋଗ କରୁଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ ବୋଲି କୁହାଯାଇଛି।

Comment