ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୁଜୁରାଟ ଗସ୍ତ ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏହି ପ୍ରସ୍ତୁତି ସହ ନିଜ ଅପାରଗତାକୁ ମଧ୍ୟ ଲୁଚାଇବାକୁ ପ୍ରୟାସ କରୁଛନ୍ତି ଗୁଜୁରାଟ ସରକାର। ଅହମ୍ମଦାବାଦ ନଗରପାଳିକା ଦ୍ଵାରା ଏୟାରପୋର୍ଟଠୁ ଆରମ୍ଭ କରି ସର୍ଦ୍ଦାର ପଟେଲ ମୋଟେରା ଷ୍ଟାଡିୟମ ରାସ୍ତାରେ ଥିବା ଛପର ଘର ଆଗରେ ନିର୍ମାଣ ହେଉଛି ପାଚେରୀ।

ଏହି ପାଚେରୀ ନିର୍ମାଣ ଯୋଗୁଁ ସେଠାକାର ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଛି। ସେହିପରି ଏହି ପାଚେରୀ ଉଠାଇବାକୁ ନେଇ ଅହମ୍ମଦାବାଦ ମେୟର କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ବସ୍ତିର ଜଣ ଲୋକ କହିଛନ୍ତି, “ପୂର୍ବରୁ ଏଠାରେ କପଡ଼ା ଲଗାଇ ଲୁଚା ଯାଉଥିଲା। ବର୍ତ୍ତମାନ ପାଚେରୀ ଉଠାଯାଉଛି, ଯଦି ସରକାରଙ୍କୁ ଗରିବି ଯୋଗୁଁ ଲାଜ ଲାଗୁଛି, ତାହେଲେ ଦାରିଦ୍ର୍ୟ ପାଇଁ କୌଣସି ବଡ଼ ପଦକ୍ଷେପ ନିଅନ୍ତି।”

ଏହା ପୂର୍ବରୁ ଯେତେବେଳେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ଚୀନ ରାଷ୍ଟ୍ରପତି ଜିନ ପିଙ୍ଗ ଏବଂ ଇସ୍ରାଏଲ ରାଷ୍ଟ୍ରପତି ବେଞ୍ଜାମିନ ନେତାନ୍ୟାହୁ ଆସିବା ବେଳେ ପାଚେରୀ ଜାଗାରେ ବଡ଼ ବଡ଼ କପଡ଼ା ବାନ୍ଧି ଏହି ଛପର ଘରକୁ ଲୁଚାଯାଇଥିଲା।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ ଓ ୨୫ ଫେବ୍ରୁଆରିରେ ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତରେ ସେ ଅହମ୍ମଦାବାଦରେ ‘କେମ୍‌ ଛୋ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେବେ।

Comment