ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତିଙ୍କୁ ଭେଟିଲେ ତାଙ୍କର ପୁରୁଣା ଦିନର ବନ୍ଧୁ ବୀରଭଦ୍ର ସିଂ। ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ ରକ୍ଷା କରି ପୂର୍ବତନ ସାଂସଦ ବୀରଭଦ୍ର ସିଂ ଫେବ୍ରୁଆରି ୪ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଥିଲେ।

ବୀରଭଦ୍ର ତାଙ୍କର ପୂରା ପରିବାର ସହିତ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନକୁ ଯାଇଥିଲେ। ସେଠାରେ ସେ ତାଙ୍କର ପୁରୁଣା ଦିନର ବନ୍ଧୁ ତଥା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ। ଏହି ସମୟରେ ଦୁଇ ବନ୍ଧୁ ନିଜର ପୁରୁଣା ଦିନର ଅନୁଭୂତିକୁ ମନେପକାଇବା ସହିତ ମୟୂରଭଞ୍ଜର ବିକାଶ ନେଇ ଆଲୋଚନା କରିଥିବା ସୂଚନା ମିଳିଛି।କିଛି ଦିନ ପୂର୍ବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗଦେବାକୁ ଭୁବନେଶ୍ୱର ଆସିଥିଲେ। ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର ଜଣେ ପୁରୁଣା ଛାତ୍ରଭାବେ ବୀରଭଦ୍ର ସିଂ ମଧ୍ୟ ଯୋଗଦେଇଥିଲେ। ରାଷ୍ଟ୍ରପତି ନିଜର ଅଭିଭାଷଣ ଦେଉଥିବାବେଳେ ଭିଡ଼ ମଧ୍ୟରେ ନିଜର ପୁରୁଣା ବନ୍ଧୁ ବୀରଭଦ୍ରଙ୍କୁ ଚିହ୍ନିପାରିଥିଲେ। ତାଙ୍କୁ ସାକ୍ଷାତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ ଡକାଇ ପଠାଇଥିଲେ। ଏହାପରେ ରାଷ୍ଟ୍ରପତି ଅଧ ଘଣ୍ଟାକାଳ ବୀରଭଦ୍ରଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କୁ ରାଷ୍ଟ୍ରପତି ଭବନ ଯିବାକୁ ନିମନ୍ତ୍ରଣ ଦେଇଥିଲେ।

କିଏ ଏହି ବୀରଭଦ୍ର ସିଂହ, କେମିତି ହେଲା ରାଷ୍ଟ୍ରପତିଙ୍କ ସହ ବନ୍ଧୁତା?

୨୦୦୦ ମସିହାରୁ୨୦୦୬ ମସିହା ପର୍ଯ୍ୟନ୍ତ ବୀରଭଦ୍ର ସିଂହ ଓଡ଼ିଶାରୁ ରାଜ୍ୟସଭା ସାଂସଦ ରହିଥିଲେ। ଏହି ସମୟରେ ରାମନାଥ କୋବିନ୍ଦ ମଧ୍ୟ ରାଜ୍ୟସଭାରେ ସାଂସଦ ଥିଲେ। ଏହି ଦୁଇଜଣ ସାଂସଦ ସେ ସମୟରେ ସଂସଦର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ସଦସ୍ୟ ରହିଥିଲେ। ଯେଉଁଠି ଦୁହିଁଙ୍କ ଭିତରେ ବନ୍ଧୁତା ଗଢ଼ିଉଠିଥିଲା। ଏପରିକି ବିଭିନ୍ନ ବିଷୟରେ ବୀରଭଦ୍ରଙ୍କ ଉପଦେଶ ଗ୍ରହଣ କରୁଥିଲେ ରାମନାଥ କୋବିନ୍ଦ।

ତେବେ ୨୦୦୬ ପରେ ବୀରଭଦ୍ର ଆଉ ସାଂସଦ ହୋଇପାରିନଥିଲେ। ତେଣୁ ସେହିଦିନଠାରୁ ସେମାନଙ୍କ ଭିତରେ ଆଉ ଦେଖାସାକ୍ଷାତ ହୋଇନଥିଲା। ଏହାପରେ ଦୀର୍ଘ ୧୩ ବର୍ଷର ବ୍ୟବଧାନ ପରେ ଦୁଇ ବନ୍ଧୁ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉତ୍ସବରେ ଭେଟାଭେଟି ହୋଇଥିଲେ।

Comment