ଓଡ଼ିଶାଲାଇଭ୍ ବ୍ୟୁରୋ

 ମା’ ଝିଅଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହେଲେ ପୂର୍ବତନ ବିଧାୟକ ଅନୁପ ସାଏ। ମର୍ଡର ପଛର କାହାଣୀ କହିଲା ଛତିଶଗଡ଼ ପୋଲିସ।

ଛତିଶଗଡ଼ ପୋଲିସ ଖୋଲିଲା ପୂର୍ବତନ ବିଧାୟକ ଅନୁପ ସାଏଙ୍କ ମୁଖା। ଅନୁପ ନିଜେ ଲୁହା ରଡ଼ରେ ପିଟି ପିଟି କଳ୍ପନା ଦାସ ନାମକ ଜଣେ ମହିଳା ଓ ତାଙ୍କର ନାବାଳିକା ଝିଅକୁ ହତ୍ୟା କରିଛନ୍ତି ବୋଲି ରାୟଗଡ଼ ଏସପି ସନ୍ତୋଷ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଛତିଶଗଡ଼ ପୋଲିସ ବୁଧବାର ରାତିରେ ଝାରସୁଗୁ଼ଡ଼ାରୁ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଥିଲା। ଶୁକ୍ରବାରର ତାଙ୍କୁ କୋର୍ଟରେ ହାଜର କରିବା ପୂର୍ବରୁ ଗିରଫ କାରଣ ଓ ଡବଲ ମର୍ଡର ଘଟଣାର ପୂରା କାହାଣୀ କହିଛନ୍ତି ଏସ୍ ପି ସନ୍ତୋଷ ସିଂହ।

ମର୍ଡର ପଛର କାରଣ?

ଅନୁପ ୨୦୦୫ ମସିହାରୁ କଳ୍ପନା ଦାସ ନାମକ ଜଣେ ମହିଳାଙ୍କ ସହ ସମ୍ପର୍କରେ ରହିଆସୁଥିଲେ। କଳ୍ପନା ଦାସଙ୍କୁ ତାଙ୍କର ସ୍ୱାମୀ ଛାଡ଼ପତ୍ର ଦେବା ପରେ ସେ ଲଗାତାର ଅନୁପଙ୍କ ସହ ସମ୍ପର୍କରେ ରହିଥିଲେ। ଏପରିକି ଅନୁପ ତାଙ୍କ ପାଇଁ ଭୁବନେଶ୍ୱରରେ ଗୋଟିଏ ଫ୍ଲାଟ୍ ମଧ୍ୟ କିଣିଥିଲେ। ବହୁ ବର୍ଷ ଧରି କଳ୍ପନା ଦାସ ତାଙ୍କ ସହ ସମ୍ପର୍କରେ ରହିବା ପରେ ଶେଷରେ ତାଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ।

ପୂର୍ବରୁ ବିବାହିତ ଥିବା ଅନୁପ କିନ୍ତୁ କଳ୍ପନାଙ୍କୁ ବିବାହ କରିବାକୁ ରାଜି ହୋଇନଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହୋଇଥିଲା। ଶେଷରେ ଅନୁପ ତାଙ୍କୁ ବିବାହ କରିବାର ମିଛ ପ୍ରଲୋଭନ ଦେଖାଇ ରାୟଗଡ଼ ଡକାଇଥିଲେ। ସେଠାରେ ପୂର୍ବ ଯୋଜନା ଅନୁଯାୟୀ ଅନୁପ ଲୁହା ରଡ଼ରେ ପିଟିପିଟି କଳ୍ପନା ଓ ତାଙ୍କର ଝିଅକୁ ହତ୍ୟା କରିଥିଲେ। ଏଥିସହିତ ମୃତଦେହକୁ ଛତିଶଗଡ଼ର ହମୀରପରୁକୁ ନେଇଯାଇ ସେଠାରେ ତାଙ୍କ ଉପରେ ଗାଡ଼ି ଚଢ଼ାଇ ପରିଚୟ ନଷ୍ଟ କରିବା ସହିତ ଫିଙ୍ଗିଦେଇ ଚାଲିଆସିଥିଲେ।

କେମିତି ଖୋଲିଲା ମର୍ଡର ପଛର ରହସ୍ୟ?

ସେ ସମୟରେ ଏହି ଡବଲ୍ ମର୍ଡର ଘଟଣାକୁ ନେଇ ଛତିଶଗଡ଼ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା, କିନ୍ତୁ ପ୍ରାଥମିକ ଅବସ୍ଥାରେ ପୋଲିସ ମୃତକମାନଙ୍କ ପରିଚୟ ପାଇପାରିନଥିଲା। ପ୍ରାୟ ୧ ବର୍ଷପରେ ପୋଲିସ ମୃତ କଳ୍ପନା ଦାସ ଓ ତାଙ୍କର ଝିଅର ପରିଚୟ ପାଇପାରିଥିଲା ବୋଲି କହିଛନ୍ତି ଏସପି ସନ୍ତୋଷ ସିଂହ। ଏହାପରେ କଳ୍ପନାଙ୍କ ମୃତ୍ୟୁ ପଛର ରହସ୍ୟ ଉନ୍ମୋଚନ ପାଇଁ ଲଗାତାର ତଦନ୍ତ ଜାରି ରଖିଥିଲା ପୋଲିସ।

ମୃତକଙ୍କ ଫୋନ କଲ୍ ଯାଞ୍ଚ କରିବା ପରେ ପୋଲିସର ତଦନ୍ତ ଘେରକୁ ଆସିଥିଲେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ। ପୋଲିସ ତାଙ୍କୁ ବାରମ୍ବାର ନୋଟିସ୍ କରିଥିଲେ ମଧ୍ୟ ଅନୁପ ହାଜର ହୋଇନଥିଲେ। ଏହାପରେ ପୋଲିସ ତାଙ୍କ ଉପରେ ଗତ ଛଅମାସ ଧରି ନଜର ରଖିଥିଲା। ଯେଉଁଥିରେ ପୋଲିସର ସନ୍ଦେହ ଅନୁପଙ୍କ ଉପରେ ଦୃଢ଼ୀଭୂତ ହୋଇଥିଲା।

ଏହାପରେ ପୋଲିସ ବୁଧବାର ରାତିରେ ତାଙ୍କୁ ଝାରସୁଗୁଡ଼ାରୁ ଉଠାଇନେବା ପରେ ଦିନତମାମ ଚକ୍ରଧରନଗର ଥାନାରେ ଜେରା କରିଥିଲା। ଏହାପରେ ଅନୁପ ତାଙ୍କର ସମସ୍ତ ଦୋଷ ପୋଲିସ ଆଗରେ ମାନିନେଇଛନ୍ତି। ଶୁକ୍ରବାର ପୋଲିସ ତାଙ୍କୁ କୋର୍ଟରେ ହାଜର କରିବ।

Comment