ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ଭୟା ଦୋଷୀଙ୍କୁ ଫାଶି ନେଇ ନୂଆ ଡେଥ୍ ଓ୍ଵାରେଣ୍ଟ ଜାରି। ମାର୍ଚ୍ଚ ୩ ସକାଳ ୬ଟାରେ ସମସ୍ତ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ। ଏହି ଡେଥ୍ ଓ୍ଵାରେଣ୍ଟ ଜାରି କରିଛନ୍ତି ପଟିୟାଲା ହାଉସ କୋର୍ଟ। ପୂର୍ବରୁ ୨ଥର ଡେଥ୍ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରିନଥିଲା। ବର୍ତ୍ତମାନ ପୁଣି ତୃତୀୟଥର ପାଇଁ ଡେଥ୍ ଓ୍ଵାରେଣ୍ଟ ଜାରି ହୋଇଛି।
ଦୋଷୀମାନଙ୍କୁ ଦିଲ୍ଲୀ କୋର୍ଟ ୭ ଦିନର ସମୟ ଦେଇଥିଲେ। ଏହା ମଧ୍ୟରେ ୧୪ ଦିନ ବିତି ଯାଇଛି ଦୋଷୀମାନେ କୌଣସି ବି ପିଟିସନ୍ ଦାଖଲ କରିନାହାନ୍ତି। ତେଣୁ ଏହି ଡେଥ୍ ଓ୍ଵାରେଣ୍ଟ ଫାଇନାଲ ବୋଲି ଆଶା ପ୍ରକଟ କରିଛନ୍ତି ନିର୍ଭୟାଙ୍କ ଓକିଲ।
ପୂର୍ବରୁ ଜାନୁଆରି ୨୨ ତାରିଖରେ ସମସ୍ତ ଦୋଷୀଙ୍କୁ ଫାଶୀ ଦିଆଯିବ ବୋଲି ଘୋଷଣା ହୋଇଥିଲା। ହେଲେ ଫାଶୀରୁ ବଞ୍ଚିବା ପାଇଁ ନିର୍ଭୟା ଦୋଷୀମାନେ ଗୋଟିଏ ପରେ ଗୋଟିଏ ପିଟିସନ ଦାଖଲ କରିଥିଲେ। ଯେଉଁଥିପାଇଁ ଫାଶୀ ପ୍ରକ୍ରିୟାରେ ବିଳମ୍ଵ ହୋଇଥିଲା। ଫଳରେ ଫାଶୀ ତାରିଖ ଘୁଞ୍ଚାଇ ଦିଆଯାଇଥିଲା।
ନୂଆ ଡେଥ୍ ଓ୍ଵାରେଣ୍ଟ ଅନୁସାରେ ପୁଣି ଫେବ୍ରୁଆରି ୧ ତାରିଖରେ ଫାଶୀ ଦିଆଯିବା ନେଇ ନିଷ୍ପତ୍ତି ହୋଇଥିଲା। ହେଲେ ଦୁଇ ଜଣ ଦୋଷୀ କ୍ୟୁରେଟିଭ୍ ପିଟିସନ ଆବେଦନ କରିବାରୁ ଫାଶୀ ତାରିଖ ପୁଣି ଘୁଞ୍ଚିଥିଲା। ହେଲେ କୋର୍ଟ ପରବର୍ତ୍ତୀ ଫାଶୀ ତାରିଖ ଘୋଷଣା କରି ନଥିଲେ। ବର୍ତ୍ତମାନ ଏହାର ଶୁଣାଣି କରିସାରିଛନ୍ତି କୋର୍ଟ।
୨ଥର ଡେଥ୍ ଓ୍ଵାରେଣ୍ଟ ଘୁଞ୍ଚିବା ପରେ ଏବେ ତୃତୀୟ ଡେଥ ଓ୍ଵାରେଣ୍ଟରେ ଫାଶୀ ହେବ କି ନାହିଁ ସେ ନେଇ ଲୋକମାନଙ୍କ ମଧ୍ୟରେ ପ୍ରଶ୍ନ ସୃଷ୍ଟି ହୋଇଛି। ଫାଶୀ ତାରିଖ ଘୁଞ୍ଚାଇବାକୁ ଦୋଷୀମାନେ କିଛି ନୂଆ ଚାଲ କରିବେ ନା କୋର୍ଟ ତାଙ୍କ ନିର୍ଦ୍ଦେଶ ବଳବତ୍ତର ରଖିବେ, ତାହା ମାର୍ଚ୍ଚ ୩ରେ ଜଣାପଡ଼ିବ।