ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚା’ ବା କଫି ପିଇବା ଏକ ପ୍ରକାର ନିଶା କହିଲେ ଭୁଲ ହେବ ନାହିଁ। ପ୍ରତିଦିନ ଚା’, କଫି ପିଇବାରେ ଅଭ୍ୟାସ ହୋଇଗଲେ ଏଥୁରୁ ମୁକୁଳିବା ସହଜ ହୁଏ ନାହିଁ । ବହୁ ଲୋକଙ୍କର ବେଡ୍‌ ଟି ଅଭ୍ୟାସ ଥାଏ। ବେଡ ଟି ନ ପିଇଲେ କୋଣସି କାମ କରିବାରେ ମନ ଲାଗେନି ଓ ଚିଡ୍ ଚିଡ୍ ଲାଗିଥାଏ। କିଛି ଲୋକଙ୍କର ମୁଣ୍ଡ ଓଜନିଆ ଲାଗେ ଓ ମୁଣ୍ଡ ବିନ୍ଧିଥାଏ । ବହୁ ସମୟରେ ଲୋକେ ଚିନ୍ତାଗ୍ରସ୍ତ ଥିଲା ବେଳେ ବି ଚା’ ପିଇ ଏଥିରୁ ମୁକ୍ତି ପାଆନ୍ତି ବୋଲି ଭାବନ୍ତି। ସତରେ କଣ ଚା’ କଫି ଆମମାନଙ୍କୁ ସତେଜ କରାଏ, ଆମ ଚିନ୍ତା ଦୂର କରେ। ନା ଏହା ଏକ ବଦଭ୍ୟାସ। ଅଧିକ ଥର ଏଗୁଡ଼ିକୁ ସେବନ କଲେ ଆମେ ଗ୍ୟାସ  କିମ୍ବା ଅନ୍ୟାନ୍ୟ ସମସ୍ୟା ଭୋଗିଥାଉ । ବେଳେ ବେଳେ ଏହାକୁ ଛାଡ଼ିବା ପାଇଁ ଚାହିଁଲେ ମଧ୍ୟ ଛାଡ଼ି ପାରି ନ ଥାଉ। କିନ୍ତୁ ଏପରି କିଛି କାମ କଲେ ଆପଣ ନିଜକୁ ଚା କଫି ଠାରୁ ଦୂରେଇ ରଖି ପାରିବେ।

-ପ୍ରତିଦିନ ପ୍ରାତଃ ଭ୍ରମଣ ଓ ସାନ୍ଧ୍ୟଭ୍ରମଣ କରନ୍ତୁ । ଫଳରେ ମନ ଓ ଶରୀର ଶାନ୍ତ ରହିବ।

-ପ୍ରତିଦିନ ପ୍ରାଣାୟମ କରନ୍ତୁ। ଯଦି କରି ନ ପାରୁଛନ୍ତି ପାଞ୍ଚ ମିନିଟ୍ ପାଇଁ ମନଖୋଲା ହସ ହସନ୍ତୁ।

– ଯଦି ଚା’ ପିଇବା ସମୟ ହେଲେ ନିହାତି ଚା’ ପିଇବାକୁ ଇଛା ହେଉଛି ତେବେ ଉଷୁମ ପାଣିରେ ତୁଳସୀ ପତ୍ର ପକାଇ ପିଅନ୍ତୁ । ମୁଣ୍ଡ ବିନ୍ଧା ସହ ଅବସାଦ ମଧ୍ୟ ଦୂର ହୋଇପାରିବ ।

– ଚା’ ବା କଫି ପିଇବା ବନ୍ଦ କରିଦେଉଥିଲେ ପାଣି ପିଇବା ଅଭ୍ୟାସରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି । ଶରୀର ଓଜନର ପ୍ରତି ୨୦ କିଗ୍ରା ହିସାବରେ ଏକ ଲିଟର ପାଣି ପିଅନ୍ତୁ । ଧୀରେ ଧୀରେ ଏହି ଅଭ୍ୟାସ ଜାରି ରଖିଲେ ଆଉ ଚା’ କିମ୍ବା କଫି ପିଇବାକୁ ଇଛା ହେବ ନାହିଁ।

-ସାଧାରଣତଃ ଗୃହିଣୀମାନେ ତଥା ଯେଉଁମାନେ କମ୍ପ୍ୟୁଟରରେ ଘଣ୍ଟା ଘଣ୍ଟା ଧରି କାମ କରିଥା’ନ୍ତି ସେମାନଙ୍କର ଚା’ କଫି ପିଇବାର ଅଭ୍ୟାସ ରହିଥାଏ । ସେହିମାନଙ୍କର ଏହି ଅଭ୍ୟାସରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ଅଧିକ ସମୟ କମ୍ପ୍ୟୁଟରରେ ବସିବା ଦ୍ୱାରା ଯଦି ଥକ୍କା ଲାଗୁଛି ତେବେ ୨୦ରୁ ୩୦ ଥର ଲମ୍ବା ନିଶ୍ୱାସ ନିଅନ୍ତୁ । କିଛି ସମୟ ଆଖି ବନ୍ଦ କରି ବସନ୍ତୁ ଦେଖିବେ ଶରୀରକୁ ଆରାମ ଲାଗିବ । ସେହିପରି ଗୃହିଣୀମାନେ ନିଜକୁ ବ୍ୟସ୍ତ ରଖନ୍ତୁ ଫଳରେ ଚା’ ବା କଫି ପିଇବାକୁ ଇଛା ଲାଗିବ ନାହିଁ ।

– ଅବସର ସମୟରେ ଗୀତ ଶୁଣିଲେ ମଧ୍ୟ ସୁଫଳ ମିଳିପାରିବ।

Comment