ଓଡ଼ିଶାଲାଇଭ୍ ବ୍ୟୁରୋ

ସରକାରୀ କଲେଜର ଅଧ୍ୟାପକ ଓ ଅଣ ଅଧ୍ୟାପକମାନଙ୍କ ପାଇଁ ଚେତାବନୀ। ଯଦି ସେମାନେ ଆନ୍ଦୋଳନ କରିବେ ପ୍ରକୃତ  ଅବସର ଗ୍ରହଣ ଆଗରୁ ସେମାନଙ୍କୁ ଅବସର ଦିଆଯିବ। ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ପତ୍ର ଲେଖି ଏହା ଜଣାଇଛନ୍ତି।

ସଚିବ ତାଙ୍କ ଚିଠିରେ କହିଛନ୍ତି ଯେ, ଆନ୍ଦୋଳନରେ ଅଂଶ ଗ୍ରହଣ କଲେ ତାହା ଗୁରୁତର ବୋଲି ଧରାଯିବ ଏବଂ ଚାକିରୀରୁ ଆଗୁଆ ଅବସର ପାଇଁ ପଦକ୍ଷେପ ନେବାକୁ ସରକାର ବାଧ୍ୟ ହେବେ।

ଯେଉଁ କଲେଜର ଟିଚିଂ ଓ ନନ ଟିଚିଂ ଷ୍ଟାଫ ଆନ୍ଦୋଳନରେ ବସନ୍ତି, ସରକାର ସେହି ସବୁ କଲେଜର ଗ୍ରାଣ୍ଟ ଇନ ଏଡ୍‌ ବି ପ୍ରତ୍ୟାହାର କରିନେଇ ପାରନ୍ତି। ବର୍ତ୍ତମାନ ବିଧାନସଭା ଅଧିବେଶନ ଚାଲିଥିବାରୁ କଲେଜ କର୍ମଚାରୀମାନେ ଯେପରି ଭୁବନେଶ୍ୱର ଆସି ରାଲି, ଧାରଣା ଓ ଆନ୍ଦୋଳନରେ ଯୋଗ ନଦିଅନ୍ତି ସେଥିପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି ବୋଲି ଆଲୋଚନା ହେଉଛି।

ସଚିବ ତାଙ୍କ ପତ୍ରରେ ଅଧ୍ୟକ୍ଷମାନଙ୍କୁ ଲେଖିଛନ୍ତି ଯେ, ଆପଣଙ୍କୁ ଦୃଷ୍ଟି ଦେବାକୁ ହେବ ଆପଣଙ୍କ କଲେଜର କୌଣସି ଷ୍ଟାଫ ଆନ୍ଦୋଳନରେ ଯେମିତି ସାମିଲ ନହୁଅନ୍ତି। ଯଦି କୌଣସି ଅଧ୍ୟକ୍ଷଙ୍କ ପକ୍ଷରୁ ଷ୍ଟାଫମାନଙ୍କୁ ଆନ୍ଦୋଳନରେ ସାମିଲ ହେବା ପାଇଁ ଛୁଟି ମଞ୍ଜୁର କରାଯାଇଛି ସେହି ଅଧ୍ୟକ୍ଷ ଆନ୍ଦୋଳନ କରିବା ପାଇଁ ଉସୁକାଉଛନ୍ତି ବୋଲି ଧରାଯିବ। ଆହୁରି ମଧ୍ୟ ଯିଏ ଆନ୍ଦୋଳନରେ ସାମିଲ ହେବେ ସେହି ଦିନ ଗୁଡିକୁ କାମ ନାହିଁ ତ ଦରମା ନାହିଁ ବୋଲି ବିଚାର କରାଯିବ। ଛୁଟିକୁ ଏକ ଅଧିକାର ବୋଲି ଦାବି କରାଯାଇନପାରେ ଏବଂ କୌଣସି କଲେଜ କର୍ମଚାରୀ ଯଦି ବିନା ଦରଖାସ୍ତରେ ଛୁଟିରେ ରୁହନ୍ତି ସେହି ଦିନ ପାଇଁ ତାଙ୍କୁ ଦରମା ମିଳିବ ନାହିଁ ବୋଲି ଉକ୍ତ ପତ୍ରରେ ଉଲ୍ଲେଖ କରାଯାଇଛି।

Comment