ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ ଜିଲ୍ଲା ଡମପଡ଼ା ତହସିଲ ଅନ୍ତର୍ଗତ ବାଆଁରାରେ ହେବ ଜଗଦ୍‌ଗୁରୁ କୃପାଳୁ ଏକକ ବିଶ୍ୱବିଦ୍ୟାଳୟ। ବିଧାନସଭାରେ ବୁଧବାର ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ବିଲ୍ ୨୦୨୦ ପାରିତ ହୋଇଛି। ଉଚ୍ଚ ଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ମଙ୍ଗଳବାର ଗୃହରେ ବିରୋଧୀ ଦଳ ସଦସ୍ୟଙ୍କ ବିରୋଧ ମଧ୍ୟରେ ବିଲଟି ଆଗତ କରିଥିଲେ। କଂଗ୍ରେସ ନେତା ନରସିଂହ ମିଶ୍ର ଏବଂ ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ ଏହାକୁ ବିରୋଧ କରିଥିଲେ। ଫଳରେ ଗୃହକୁ ୩ ଥର ମୁଲତବୀ ରଖିବାକୁ ପଡ଼ିଥିଲା। ଆଲୋଚନା ପରେ ଦୁଇଟି ସଂଶୋଧନ କରି ଗୃହରେ ବିଲ୍‌ଟି ଅନୁମୋଦିତ ହୋଇଛି।

ଏହି ବିଲ୍‌ର ଉଦ୍ଦେଶ୍ୟ ସମ୍ପର୍କରେ ଅରୁଣ ସାହୁ ସୂଚନା ଦେଇ କହିଥଲେ, ‘‘ରାଜ୍ୟରେ ଗୁଣାତ୍ମକ ଓ ସ୍ୱତନ୍ତ୍ର ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବାକୁ ଜଗଦ୍‌ଗୁରୁ କୃପାଳୁ ଯୋଗ ଟ୍ରଷ୍ଟ୍‌ ଲକ୍ଷ୍ୟ ରଖିଛି। ଏହା ଏକ ଘରୋଇ ଏକକ ବିଶ୍ୱବିଦ୍ୟାଳୟ ଭାବେ ଆଧ୍ୟାତ୍ମିକ ଓ ବୈଦିକ ଶିକ୍ଷା ଆଧାରିତ ୮ଟି ବିଭାଗରେ ସେଲଫ୍‌ ଫାଇନାନ୍‌ସିଂ କୋର୍ସରେ ଶିକ୍ଷା ପ୍ରଦାନ କରିବ।’’

ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ,‘‘ବ୍ୟକ୍ତିର ବୌଦ୍ଧିକ ଓ ଶାରୀରିକ ବିକାଶ କ୍ଷେତ୍ରରେ ଗୁଣାତ୍ମକ ଉଚ୍ଚଶିକ୍ଷା ପାଇଁ ଏହି ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍କୁଲ୍‌ ଅଫ୍‌ ରିଲିଜିୟସ୍‌ ଷ୍ଟଡିଜ୍‌, ସ୍କୁଲ୍‌ ଅଫ୍‌ ହେଲ୍‌ଥ୍‌ ସାଇନ୍‌ସେସ୍‌, ସ୍କୁଲ୍‌ ଅଫ୍‌ ଫାଇନ୍‌ ଆର୍ଟ୍‌ସ୍‌, ସ୍କୁଲ୍‌ ଅଫ୍‌ ଲାଙ୍ଗୁଏଜେସ୍‌, ସ୍କୁଲ୍‌ ଅଫ୍‌ ହ୍ୟୁମାନିଟିଜ୍‌, ସ୍କୁଲ୍‌ ଅଫ୍‌ ବିଜିନେସ୍‌ ଷ୍ଟଡିଜ୍‌, ସ୍କୁଲ୍‌ ଅଫ୍‌ ଇଞ୍ଜିନିୟରିଂ ଏବଂ ସ୍କୁଲ୍‌ ଅଫ୍‌ ବେସିକ୍‌ ସାଇନ୍‌ସେସ୍‌ରେ ଡିଗ୍ରି ଓ ଡିପ୍ଲୋମା କୋର୍ସ ପ୍ରଦାନ କରାଯିବ।’’

ତେବେ ଏହି ବିଲ୍‌ରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏହାସହିତ ଏସ୍‌ସି-ଏସ୍‌ଟି ଓ ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ କୋର୍ସ ଫିରେ ରିହାତି ପ୍ରଦାନ କରିବାକୁ ବିଲ୍‌ରେ ବ୍ୟବସ୍ଥା କରାଯାଇଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/H26bwpVeIs6K8KNMsLiz80

Comment