ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଅନନ୍ତ ନାରାୟଣ ଜେନା ହେଲେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି।

‘‘ଆଗକୁ ଆସୁଥିବା ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ଆମ ପାଇଁ ବଡ଼ ଚାଲେଞ୍ଜ ହେବ। ଏହି ଚାଲେଞ୍ଜକୁ କେମିତି ମୁକାବିଲା କରାଯିବ ସେନେଇ ଆମେ ରଣନୀତି ପ୍ରସ୍ତୁତ କରିବୁ। ଭୁବନେଶ୍ୱରରେ ଆମେ ୩ ଜଣ ବିଧାୟକ ରହିଛୁ। ପୌର ଭୋଟ୍‌ରେ ଦଳକୁ ଜିତାଇବା ଆମ ଲକ୍ଷ୍ୟ’’, କହିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା।

ମହାଶିବରାତ୍ରୀ ଦିନ ବିଜେଡି ବିଭିନ୍ନ ସାଙ୍ଗଠନିକ ଜିଲ୍ଲା ପାଇଁ ସଭାପତି ଚୟନ କରିଛି। ଏଥିରେ ୧୪ ଜଣ ପୁରୁଣା ମୁହଁ ରହିଥିବା ବେଳେ ୧୯ ଜଣ ନୂଆ ମୁହଁକୁ ସ୍ଥାନ ମିଳିଛି। ଏହି ନୂଆ ମୁହଁ ଭିତରେ ଅଛନ୍ତି ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା।

ପୂର୍ବରୁ ଜିଲ୍ଲା ସଭାପତି ଥିବା ଅମରେଶ ଜେନାଙ୍କୁ ହଟାଇ ବିଜେଡି ଅନନ୍ତଙ୍କ ପରେ ଭରସା କରିଛି। ନୂଆ ସଭାପତି ହେବା ପରେ ଅନନ୍ତ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି।

‘‘ସାଢ଼େ ୪ କୋଟି ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କର୍ମ ଦକ୍ଷତା ଉପରେ ଭରସା ରଖିଛନ୍ତି। ଓଡ଼ିଶାକୁ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ ଜାରି ରଖିଛନ୍ତି। ମତେ ଯେଉଁ ଦାୟିତ୍ଵ ଦିଆଯାଇଛି ତାହାକୁ ମୁଁ ଠିକ୍‌ ଭାବେ ତୁଲାଇବା ପାଇଁ ଉଦ୍ୟମ କରିବି। ଭୁବନେଶ୍ୱରରେ ଅନେକଗୁଡ଼ିଏ ପ୍ରକଳ୍ପ ନିର୍ମାଣ ହୋଇଛି। ଲୋକଙ୍କ ପାଇଁ ବହୁତ କିଛି କାର୍ଯ୍ୟକ୍ରମ କରାଯାଇଛି। ଏହା କେମିତି ଲୋକଙ୍କ ପାଖରେ ପହଞ୍ଚି ପାରିବ ସେନେଇ ଫୋକସ୍‌ ଦିଆଯିବ’’, କହିଛନ୍ତି ଅନନ୍ତ ନାରାୟଣ ଜେନା।

ଭୁବନେଶ୍ୱର ମହାନଗର ନିଗମର ଦୁଇ ଦୁଇ ଥର ମେୟର ଥିବା ଅନନ୍ତ ନାରାୟଣ ଜେନା ୨୦୧୯ ନିର୍ବାଚନରେ ଭୁବନେଶ୍ୱର-ମଧ୍ୟ ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିଲେ। ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ଏବେ ସେ ବିଜେଡି ବିଧାୟକ ଅଛନ୍ତି। ତାଙ୍କୁ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ସଭାପତି ଦାୟିତ୍ୱ ମିଳିଛି।

Comment