ଓଡ଼ିଶାଲାଇଭ୍‌ ବ୍ୟୁରୋ

ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗ ଦେଲେ ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି କାର୍ଯ୍ୟକ୍ରମ ଜରିଆରେ ଦେଖିଲେ ଭାରତୀୟ ପାରମ୍ପରିକ କଳାର ଝଲକ।    

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ଆଜି ଭାରତ ଗସ୍ତରେ ଆସିଛନ୍ତି। ଏହି ଗସ୍ତରେ ସେ ଗୁଜୁରାଟର ଅହମ୍ମଦାବାଦରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଅହମ୍ମବାଦଠାରେ ଟ୍ରମ୍ପଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ନୃତ୍ୟ, ଗୀତ ଓ ସଙ୍ଗୀତରେ କମ୍ପି ଉଠିଥିଲା ଅହମ୍ମଦାବାଦ। ଏଥିରେ ଭାରତୀୟ ପାରମ୍ପରିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥିଲା। ଏହାସହ ବଲିଉଡ୍‌ କଣ୍ଠଶିଳ୍ପୀମାନେ ମଧ୍ୟ ଏଥିରେ ଯୋଗ ଦେଇଥିଲେ।

ଡୋନାଲ୍ଡ ଟ୍ରମ୍ପ ଆସିବା ପୂର୍ବରୁ ଅହମ୍ମଦାବାଦ ଏୟାରପୋର୍ଟ ବାହାରେ ଲୋକମାନଙ୍କର ଖଚାଖଚ୍‌ ଭିଡ଼ ଦେଖିବାକୁ ମିଳିଥିଲା। ଏୟାରପୋର୍ଟ ଭିତରେ ଅହମ୍ମଦାବାଦର ସ୍କୁଲ ଗ୍ରୁପ୍‌ ଡ୍ୟାନ୍ସ କରିଥିଲେ। ଏହାସହ ତାଙ୍କୁ ସ୍ଵାଗତ ପାଇଁ ଏୟାରପୋର୍ଟ ବାହାରେ ମଧ୍ୟ ଢୋଲ, ମୃଦଙ୍ଗ ସହ ଘୋଡ଼ା ନାଚ କରୁଥିବା କଳାକାର ଅପେକ୍ଷା କରି ରହିଥିଲେ। ଟ୍ରମ୍ପ ଏହା ମାଧ୍ୟମରେ ଭାରତୀୟ ପାରମ୍ପରିକ ନୃତ୍ୟର ଝଲକ ଦେଖିବାକୁ ପାଇଥିଲେ।

ଟ୍ରମ୍ପ ଓ ତାଙ୍କ ପତ୍ନୀ ଅହମ୍ମଦାବାଦରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଖଦୀ ଅଙ୍ଗ ବସ୍ତ୍ର ପ୍ରଦାନ କରି ଭବ୍ୟ ସ୍ଵାଗତ କରିଥିଲେ ପ୍ରଧାନମନ୍ତ୍ରୀ। ଏହାପରେ ଲମ୍ଵା ରୋଡ୍‌ ସୋ’ କରି ସାବରମତୀ ଆଶ୍ରମ ଅଭିମୁଖେ ବାହାରିଥିଲେ ଟ୍ରମ୍ପ। ଏହି ୨୨ କିଲୋମିଟର ଯାତ୍ରା ମଧ୍ୟରେ ରାସ୍ତା କଡ଼ରେ ସୁନ୍ଦର ସୁନ୍ଦର ଚିତ୍ରକଳାରେ ମଧ୍ୟ ଟ୍ରମ୍ପଙ୍କୁ ସ୍ଵାଗତ କରାଯାଇଥିଲା। ଏହି ରାସ୍ତାର ରୋଡ୍‌ରେ ଥିବା କାନ୍ଥରେ ମୋଦୀ ଓ ଟ୍ରମ୍ପଙ୍କ ଚିତ୍ର ଆଙ୍କିଥିଲେ କଳାକାର।

କେବଳ ଚିତ୍ର ନୁହେଁ ରୋଡ୍‌ମାନଙ୍କରେ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବଡ଼ ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଥିଲା, ଯାହାକୁ ଦେଖି ଅହମ୍ମଦାବାଦ ଲୋକଙ୍କର ବେଶ ପ୍ରଶଂସା କରିଥିଲେ ଟ୍ରମ୍ପ।

ପ୍ରଥମେ ସାବରମତି ଆଶ୍ରମ ପରିଦର୍ଶନ କରିଥିଲେ ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ। ସେଠାରେ ବୁଲି ଆସ୍ରମ ଦେଖିବା ସହ ସେଠାରେ ଥିବା ଚରଖା ମଧ୍ୟ ବୁଲାଇଥିଲେ। ଏହାସହ ଆଶ୍ରମରେ ଥିବା ଗାନ୍ଧୀଙ୍କ ୩ ମାଙ୍କଡ଼ ମୂର୍ତ୍ତିକୁ ମଧ୍ୟ ଟ୍ରମ୍ପ ଓ ତାଙ୍କ ପତ୍ନୀ ବୁଲି ଦେଖିଥିଲେ।

ପରେ ବାହାରି ଥିଲେ ମୋଟେରା ଷ୍ଟାଡିୟମ। ସେଠାରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଥିଲା। ଏହି ଷ୍ଟାଡିୟମରେ ବେଶ ଲୋକ ଗହଳି ରହିଥିଲା। ସ୍ଵାଗତ ପାଇଁ ଭାରତୀୟ ପାରମ୍ପରିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଥିଲା। ନାମିଦାମୀ କଣ୍ଠଶିଳ୍ପୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା।

ଏହି କାର୍ଯ୍ୟକ୍ରମରେ ବଲିଉଡ୍‌ କଣ୍ଠଶିଳ୍ପୀ କୈଳାଶ ଖେର, ପାର୍ଥିବ ଗୋହିଲ ଓ ଗୁଜୁରାଟୀ କଣ୍ଠଶିଳ୍ପୀ କ୍ରିତି ଗାଧବି, ଗିତା ରାବେରି, ପୁରୁଷୋତ୍ତମ ଉପାଧ୍ୟାୟ ଓ ସାଇରାମ ଦାବେ ଯୋଗ ଦେଇ ଥିଲେ। ଏହାସହ ଗୁଜୁରାଟର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀ ନୃତ୍ୟ ପ୍ରଦର୍ଶନ କରିଥିଲେ। ଭାରତୀୟ ପାରମ୍ପରିକ ବିଭିନ୍ନ ନୃତ୍ୟ ମଧ୍ୟ ଏଠାରେ ପ୍ରଦର୍ଶନ କରାଯାଇଥିଲା।

Comment