ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଜରାଟରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

“ବିଶ୍ୱରେ ଦେଖାଯାଇଥିବା ଇସଲାମିକ୍ ଆତଙ୍କବାଦର ଦମନ ପାଇଁ ଆମେରିକା ଚେଷ୍ଟା ଜାରି ରଖିଛି। ଆଇଏସ୍ଆଇଏସ୍ ଓ ବାଗଦାଦୀମାନଙ୍କୁ ଆମେରିକା ଏଥିପାଇଁ ନିପାତ କରିସାରିଛି। ପାକିସ୍ତାନ ଉପରେ ମଧ୍ୟ ଆମେରିକା ଚାପ ପକେଇଛି। ଏଣିକି ପ୍ରତ୍ୟେକ ଦେଶ ଆତଙ୍କବାଦର ନିପାତ ପାଇଁ ଆକ୍ସନ ନେବେ”, ଗୁଜରାଟରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଭାଗ ନେଇ ଏଭଳି ଉଦବୋଧନ୍ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ସୋମବାର ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ଅବସରରେ ସେ ଗୁଜରାଟରେ ମୋଟେରା ଷ୍ଟାଡିୟମରେ ଆୟୋଜିତ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ଏହି ଅବସରରେ ସେ କହିଥିଲେ ଯେ, ଆଜିଠୁ ଭାରତ ଓ ଆମେରିକା ମଧ୍ୟରେ ଥିବା ସମ୍ପର୍କ ଆହୁରି ମଜଭୁତ୍ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚେଷ୍ଟା ଫଳରେ ଏହା ସମ୍ଭବ ହୋଇପାରିଛି। ବିଶ୍ୱର ବୃହତ ଗଣତନ୍ତ୍ର ଓ ପୁରାତନ ଗଣତନ୍ତ୍ର ମଧ୍ୟରେ ଏହି ସମ୍ପର୍କ  ବିଶ୍ୱବାସୀଙ୍କ ପାଇଁ ଉଦାହରଣ ପାଲଟିବ।

ଏଥିସହିତ ଟ୍ରମ୍ପ ତାଙ୍କର ଭାଷଣରେ ବଲିଉଡ୍ ଫିଲ୍ମକୁ ମଧ୍ୟ ପ୍ରଂଶସା କରିଛନ୍ତି। ଶାହରୁଖ୍ ଓ ଅମିତାଭଙ୍କୁ ସେ ତାଙ୍କର ଭାଷଣରେ ଭୂରି ପ୍ରଂଶସା କରିଥିଲେ। ଏଥିସହିତ କ୍ରିକେଟର ବିରାଟ କୋହଲି ଓ ସଚିନ୍ ତେନ୍ଦୁଲକରଙ୍କୁ ମଧ୍ୟ ସେ ତାଙ୍କର ଭାଷଣରେ ଉଲ୍ଲେଖ କରିଥିଲେ।ସେହିପରି ଆଗାମୀ ଦିନରେ ଆମେରିକା ଭାରତକୁ ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବ ବୋଲି କହିଛନ୍ତି ଟ୍ରମ୍ପ। ଭାରତର ଅର୍ଥନୀତିରେ ମଧ୍ୟ ଦ୍ରୁତ ପରିବର୍ତ୍ତନ ଆସିବ ବୋଲି ସେ କହିଛନ୍ତି। ଟ୍ରମ୍ପ ନିଜର ଭାଷଣ ମଧ୍ୟରେ ବାରମ୍ବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ପରେ ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କର ପରିବାର ଗୁଜରାଟ ବିମାନବନ୍ଦରକୁ ଯାଇଛନ୍ତି। ସେଠାରୁ ସେ ଆଗ୍ରା ଅଭିମୁଖେ ଯାତ୍ରା କରିବେ। ସେଠାରେ ସେ ଆଗ୍ରାର ତାଜମହଲ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି।

Comment