ଓଡ଼ିଶାଲାଇଭ୍‌ ବ୍ୟୁରୋ

ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଲେ ଉଦ୍‌ବୋଧନ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଲେ ପ୍ରଶଂସା।

“ଟ୍ରମ୍ପଙ୍କ ନେତୃତ୍ଵ ସମୟରେ ଭାରତ ଓ ଆମେରିକାର ସମ୍ପର୍କ ଦୃଢ଼ ହୋଇ ପାରିଛି। ଏହା ଏକ ନୂଆ ଅଧ୍ୟାୟ। ଏଥିରେ ଭାରତର ଟ୍ୟାଲେଣ୍ଟ ଓ ଆମେରିକାର ଟେକ୍ନୋଲୋଜି ମିଳିତ ଭାବେ କାମ କରିବେ। ଉଭୟ ଦେଶ ମିଳିତ ହୋଇ ବଡ଼ ସ୍ଵପ୍ନ ପୂରଣ କରିବେ। ଟ୍ରମ୍ପ ତାଙ୍କ ପୂରା ପରିବାରକକୁ ଭାରତରେ ସ୍ଵାଗତ କରୁଛୁ” କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସୋମବାର ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି ଅବସରରେ ସେ ଗୁଜରାଟରେ ମୋଟେରା ଷ୍ଟାଡିୟମରେ ଆୟୋଜିତ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଗସ୍ତରେ ଟ୍ରମ୍ପ ଓ ତାଙ୍କ ପତ୍ନୀ ପ୍ରଥମେ ସାବରମତୀ ଆଶ୍ରମ ପରିଦର୍ଶନ କରିଥିଲେ। ଅହମ୍ମଦାବାଦରେ ପହଞ୍ଚିଲା ପରେ ଲମ୍ଵା ରୋଡ୍‌ ସୋ’ କରି ମୋଟେରା ଷ୍ଟାଡିୟମରେ ପହଞ୍ଚି ଥିଲେ ଟ୍ରମ୍ପ। ସେଠାରେ ଉଭୟ ପ୍ରଧାନମନ୍ତ୍ରୀ ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଭାଷଣ ଦେଇଥିଲେ।

ମୋଦୀ ତାଙ୍କ ଭାଷଣର ଆରମ୍ଭ ‘ଭାରତ ମାତା କି ଜୟ’ ନାରାରୁ ଆରମ୍ଭ କରିଥିଲେ। ଆଜି ଭାରତ ଟ୍ରମ୍ପଙ୍କୁ ଏଠାରେ ସ୍ଵାଗତ କରୁଛି ବୋଲି ମୋଦୀ କହିଥିଲେ। ଏହାସହ ଆମେରିକା-ଭାରତ ଫ୍ରଣ୍ଡ୍ସସିପ୍‌ ଲଙ୍ଗ ଲିଭ୍‌ ଲଙ୍ଗ ଲିଭ୍‌ ବୋଲି ମଧ୍ୟ ଦେଶବାସୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ନାରା ଦେଇଥିଲେ।

ମୋଦୀ ଆହୁରି ମଧ୍ୟ କହିଥିଲେ, “୧୩୦ କୋଟି ଭାରତୀୟ ମିଶି ନ୍ୟୁ ଇଣ୍ଡିଆର ନିର୍ମାଣରେ ଲାଗିଛନ୍ତି। ଆମ ଯୁବ ଶକ୍ତି ଏଥିପାଇଁ ବହୁତ ଆଗ୍ରହୀ ଅଛନ୍ତି। ଆଜି ଏଠାରେ ନ୍ୟୁ ଇଣ୍ଡିଆର ପରିଚୟ ସୃଷ୍ଟି ହୋଇଛି। ଆଗାମୀ ଦିନରେ ଭାରତକୁ ଏହି ଦିଗରେ ଆଗେଇ ନେବାକୁ ପ୍ରୟାସ ଜାରି ରହିଛି।“

Comment