ଓଡ଼ିଶାଲାଇଭ୍‌ ବ୍ୟୁରୋ

ଘରୋଇ ୟେସ୍‌ ବ୍ୟାଙ୍କରେ ଏବେ ବି ରହିଛି ମହାପ୍ରଭୁ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା। ଏନେଇ ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଲିଖିତ ଉତ୍ତର ଦେଇଛନ୍ତି। ଉତ୍ତର ଅନୁସାରେ ଜଗନ୍ନାଥଙ୍କ ମୋଟ ସମ୍ପତ୍ତି ୬୨୬ କୋଟି ୪୪ ଲକ୍ଷ ୭୮ ହଜାର ଟଙ୍କା।

୨୦୧୯ ସେପ୍ଟେମ୍ଵର ୩୦ ତାରିଖ ସୁଦ୍ଧା ୟେସ ବ୍ୟାଙ୍କରେ ୫୯୨ କୋଟି ଟଙ୍କା ଜମା ଥିଲା। ଯେଉଁଥିରେ ସ୍ଥାୟୀ ଜମାରେ ୫୪୫ କୋଟି ଓ ଫ୍ଲେକ୍ସ ଜମାରେ ୪୭ କୋଟି ରହିଥିଲା। ଏହା ମଧ୍ୟରେ ୪୭ କୋଟିର ଫ୍ଲେକ୍ସି ଜମା ୟେସ ବ୍ୟାଙ୍କରୁ ପ୍ରତ୍ୟାହାର ହୋଇଛି। ବର୍ତ୍ତମାନ ବାକି ରହିଥିବା ୫୪୫ କୋଟି ଟଙ୍କା ମାର୍ଚ୍ଚ ୧୯ ଓ ୩୦ ତାରିଖରେ ଉଠାଯାଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ରଖାଯିବ।

ଏହାସହ ଓଡ଼ିଶା ସମେତ ୭ଟି ରାଜ୍ୟରେ ଜଗନ୍ନାଥଙ୍କ ଭୂ-ସମ୍ପତ୍ତି ରହିଛି। ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ବିହାର ଓ ଛତିଶଗଡ଼ରେ ମହାପ୍ରଭୁଙ୍କ ଜମି ରହିଛି। ସେହିପରି ଓଡ଼ିଶା ପରେ ପଶ୍ଚିମବଙ୍ଗରେ ଜଗନ୍ନାଥଙ୍କ ସର୍ବାଧିକ ଜମି ରହିଛି। ଓଡ଼ିଶା ବାହାରେ ଜଗନ୍ନାଥଙ୍କ ମୋଟ ୩୯୫.୨୫୨ ଏକର ଜମି ରହିଛି।

ରାଜ୍ୟରେ ମହାପ୍ରଭୁ ଜଗନ୍ନାଥଙ୍କର ୬୦, ୪୨୬ ଏକର ଜମି ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୩୪ ହଜାର ୮୦୩ ଏକର ଜମିର ସ୍ଵତ୍ତ୍ଵଲିପି ଶ୍ରୀମନ୍ଦିର ପ୍ରସାସନକୁ ମିଳିଛି। ବାକି ୨୫ ହଜାର ୬୨୩ ଏକର ଜମି ମନ୍ଦିର ପ୍ରଶାସନ ହାତକୁ ଆସିନାହିଁ।

Comment