ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀ ହିଂସାକାଣ୍ଡ ଏବେ ଥମିବାର ନାଁ ଧରୁନି। ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଲାଣି। ଏହାସହ ଶହ ଶହ ଲୋକ ଗୁରୁତର ଅବସ୍ଥାରେ ଏବେ ବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଲଗାତାର ୩ ଦିନର ହିଂସା ପରେ ଦିଲ୍ଲୀରେ ସ୍ଥିତି ସାମାନ୍ୟ ସୁଧାର ଆସିଛି।

ବୁଧବାର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ମଧ୍ୟ ଦିଲ୍ଲୀ ଯାଇ ସ୍ଥିତି ପରଖିଥିଲେ। ସେହିପରି ପ୍ରଧାମନ୍ତ୍ରୀ ମୋଦୀ ମଧ୍ୟ ଦିଲ୍ଲୀବାସୀଙ୍କୁ ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି।

ସୋମବାରଠାରୁ ସିଏଏ ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଏହା ଯୋଗୁଁ ହିଂସା ଲାଗିରହିଛି। ବିକ୍ଷୋଭକାରୀମାନେ ରାସ୍ତାକୁ ଓହ୍ଲାଇ ଟେକା ପଥର ମାଡ଼ କରୁଛନ୍ତି। ଆନ୍ଦୋଳନକାରୀମାନେ ଅନେକ ଦୋକାନ ଘର, ଗାଡ଼ି ମୋଟରକୁ ମଧ୍ୟ ଜାଳିଦେଇଛନ୍ତି। ଏଥିରେ ଜଣେ ପୋଲିସ କନଷ୍ଟେବଳ ମଧ୍ୟ ସହିଦ ହୋଇଥିଲେ।  ଏଭଳି ପରିସ୍ଥିତିରେ ଦିଲ୍ଲୀକୁ ଶାନ୍ତ କରିବା ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

ହିଂସାର ମାହୋଲକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି।

Comment