ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବଦୋୟ ମିସନରେ ଜାପାନ ଏକ ସହଯୋଗୀ ରାଷ୍ଟ୍ର ହେବ। ଏହାସହ ଏହି ମିସନରେ ଓଡ଼ିଶାର କଳିଙ୍ଗନଗରର ବିକାଶ ହୋଇପାରିବ। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହଯୋଗରେ କଳିଙ୍ଗ ନଗରକୁ ବିଶ୍ୱ ଇସ୍ପାତ ଶିଳ୍ପର ପେଣ୍ଠସ୍ଥଳ ଭାବେ ଗଢ଼ି ତୋଳିବା ଆମର ଲକ୍ଷ୍ୟ’’, କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜାପାନ ରାଷ୍ଟ୍ରଦୂତ ସତୋଷୀ ସଜୁକି। ଓଡ଼ିଶାର ଶିଳ୍ପର ବିକାଶ ଉପରେ ଆଲୋଚନା ହୋଇଥିଲା।

ଆର୍ସେଲର ମିତ୍ତଲ ପ୍ଲାଣ୍ଟକୁ ନେବା ପରେ ନିପନ ଷ୍ଟିଲ ଏଥିରେ ବଡ଼ ସହଯୋଗୀ ହୋଇଛି। ଏହାସହ ଜାପାନର ଇସ୍ପାତ କମ୍ପାନି ଜେଏଫଲ ଜେଏସ୍‌ଡବ୍ଲ୍ୟୁ ସହ ସହଭାଗୀ ହୋଇଛି। ଓଡ଼ିଶାର ଇସ୍ପାତ ଶିଳ୍ପରେ ଜାପାନର ଦୁଇଟି ବଡ଼ ଇସ୍ପାତ କମ୍ପାନି ଜେଏଫଲ ଏବଂ ନିପନ ବଡ଼ ପୁଞ୍ଜି ନିବେଶ କରିବ।

‘‘ଆଗାମୀ ଦିନରେ ଦେଶରେ ଇସ୍ପାତ ଉତ୍ପାଦନକୁ ୧୪୦ ଏମ୍‌ଟିରୁ ୩୦୦ ଏମ୍‌ଟି କରାଯିବ। ଦେଶରେ ଇସ୍ପାତ ଉତ୍ପାଦନରେ ଯେଉଁ ବ୍ୟାପକ ଅଭିବୃଦ୍ଧି ହେବ ସେଥିରୁ ଓଡ଼ିଶାର ସିଂହଭାଗ ଇସ୍ପାତ ଉତ୍ପାଦନ ହେବ। ଫଳରେ ରାଜ୍ୟର ରାଜସ୍ୱ ବଢ଼ିବା ସହ ରୋଜଗାର ମଧ୍ୟ ବୃଦ୍ଧି ପାଇବ। ଏଥିପାଇଁ ଜାପାନକୁ ଏକ ସହଯୋଗୀ ପାର୍ଟନର ଭାବେ ନେବା ମୂଳ ଲକ୍ଷ୍ୟ’’, କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

୨୦୨୦ ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ଜାପାନ ପାର୍ଟନର ହେବା ନେଇ ଅନୁରୋଧ କରାଯାଇଛି।

Comment