ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସେବା ଭବନରେ ଆୟୋଜିତ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ଆରମ୍ଭ ହୋଇଛି। ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ୪ଟି ପ୍ରସଙ୍ଗ ଉଠାଇଲେ ନବୀନ।

ଓଡ଼ିଶାକୁ ସ୍ପେଶାଲ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଦାବି କଲେ ନବୀନ। ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଲଗାତାର ହେଉଥିବାରୁ ଏହି ଭିତ୍ତିରେ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ପ୍ରସ୍ତାବକୁ ବିଚାରକୁ ନେବା ପାଇଁ ଦାବି କରିଛନ୍ତି ନବୀନ।

ନବୀନ କହିଛନ୍ତି, ‘‘ଜାତୀୟ ସଂହତି ଓ ରାଜ୍ୟ ରାଜ୍ୟ, କେନ୍ଦ୍ର ରାଜ୍ୟ ମଧ୍ୟରେ ସୁସମ୍ପର୍କ ସ୍ଥାପନ ଏହି ବୈଠକର ମୂଳ ଉଦ୍ଦେଶ୍ୟ। ଅର୍ଥନୈତିକ ଭିତ୍ତିଭୂମି ଓ ପ୍ରଯୁକ୍ତି ବିଦ୍ୟାକୁ ନେଇ ସମସ୍ତଙ୍କ ମଧ୍ୟରେ ସଂହତି ଆସିବ ଦରକାର।’’

ଟେଲି ଯୋଗାଯୋଗ, ବ୍ୟାଙ୍କିଙ୍ଗ ସେବା ଓ ରେଳ, ସଡ଼କ ସଂଯୋଗ କ୍ଷେତ୍ରରେ କେନ୍ଦ୍ରୀୟ ଅନୁଦାନ ଦୁଇ ଗୁଣ କରିବାକୁ ପ୍ରସ୍ତାବ ରଖିଛନ୍ତି ନବୀନ।

୨୦୧୨ରୁ କୋଇଲା ରାୟଲିଟି ସଂଶୋଧନ ହୋଇ ନାହିଁ। ଏବେ ଏହା ସଂଶୋଧନ ହେବାର ଜରୁରୀ ଆବଶ୍ୟକ ରହିଛି ବୋଲି ନବୀନ ବୈଠକରେ କହିଥିଲେ।

ଭିତ୍ତିଭୂମି ଉନ୍ନୟନ କ୍ଷେତ୍ରରେ ସ୍ୱତନ୍ତ୍ର ଅର୍ଥନୈତିକ ପ୍ୟାକେଜ ପାଇଁ ଦାବି କରିଛନ୍ତି ନବୀନ। ୪ ରାଜ୍ୟରେ ଆଦିବାସୀ ବହୁଳ ଅଞ୍ଚଳ ଅଧିକ ଥିବାରୁ ହୋ, ଭୂମିଜ ଓ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ଦାବି କରିଛନ୍ତି।

ସହରାଞ୍ଚଳକୁ କେନ୍ଦ୍ରୀୟ ଅନୁଦାନ ଦେବାରେ ବିଳମ୍ବ, ଧାନ କିଣାରେ ସବ୍‌ସିଡି ନଦେବା, ରେଳ ପ୍ରକଳ୍ପରେ ରାଜ୍ୟ ସରକାର ୫୦ ପ୍ରତିଶତ ଅନୁଦାନ ସହିତ ମାଗଣା ଜମି ଦେଉଥିଲେ ବି କାମ ଆଗଉ ନାହିଁ। ଏହି ସବୁ ପ୍ରସଙ୍ଗ ପରିଷଦ ବୈଠକରେ ଉଠାଇଛନ୍ତି ନବୀନ।

Comment