ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରିଲା ରାଜ୍ୟ ସରକାର ଦେଇଥିବା ମହଲତ। ଆସନ୍ତାକାଲିଠାରୁ ପାଳନ ହେବ କଡ଼ାକଡ଼ି ଟ୍ରାଫିକ ନିୟମ। ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ଆଦାୟ ହେବ ମୋଟା ଅଙ୍କର ଫାଇନ। କାଲିଠାରୁ ଗାଡ଼ିମୋଟର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିସନର। ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି ଓ ଡିସିପିଙ୍କୁ ମଧ୍ୟ ଚିଠି ଲେଖିଛନ୍ତି କମିସନର।

ମଦ ପିଇ ଡ୍ରାଇଭିଂ, ଦ୍ରୁତ ଗତିରେ ଡ୍ରାଇଭିଂ, ନାଲିବତୀ ଉଲ୍ଲଘଂନ, ରଙ୍ଗ ରୁଟ୍‌ ଡ୍ରାଇଭିଂ, ଗାଡ଼ି ଚଲାଇଲା ବେଳେ ମୋବାଇଲରେ ଗପିବା, ୩ଜଣ ବସି ବାଇକ ଚଳାଇବା, ବିନାହେଲମେଟରେ ଗାଡ଼ି ଚଲାଇବା, ସିଟ୍‌ବେଲ୍ଟ ନପିନ୍ଧିବା, ଓଭରଲୋଡିଂ ଭଳି ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ସେହିପରି ନାବାଳକ ଚାଳକ ଓ ଓଭରଲୋଡ ସ୍କୁଲ ଗାଡ଼ି ପ୍ରତି ବି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ଆଜିଠାରୁ ରାଜ୍ୟରେ ଥିବା ବିଭିନ୍ନ ଆରଟିଓରେ ଗହଳି ଦେଖିବାକୁ ମିଳିଛି। ଲାଇସେନ୍ସ ପାଇଁ ଲମ୍ଵା ଲାଇନ ଲଗାଇଛନ୍ତି ଲୋକ। ଏହି ଭଳି ଗହଳି ଯୋଗୁଁ ଡିସେମ୍ଵର ମାସରେ ମଧ୍ୟ ଏହି ଅବଧିକୁ ବଢ଼ାଇ ଦିଆଯାଇଥିଲା। ବର୍ତ୍ତମାନ ସରକାର ଏହାକୁ ପାଳିବାରେ ସଫଳ ହେଉଛନ୍ତି ନା ନାହିଁ ତାହା ଦେଖିବା ବାକି ରହିଲା।

ପ୍ରଥମ ଦଫାରେ ସେପ୍ଟେମ୍ବରଠାରୁ ନଭେମ୍ବର ଯାଏଁ ନିୟମକୁ କୋହଳ କରାଯାଇଥିଲା। ଏହାପରେ ଡିସେମ୍ବରୁ ଫେବ୍ରୁଆରି ୨୯ ତାରିଖ ଯାଏଁ ରିହାତି ଦେଇଥିଲେ ରାଜ୍ୟ ସରକାର। ତେଣୁ ଆସନ୍ତାକାଲିଠାରୁ ନିୟମ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପରିବହନ ଓ ପୋଲିସ ମଧ୍ୟ ପ୍ରସ୍ତୁତ ହୋଇସାରିଲେଣି। ୬ ମାସର ମହଲତ ପରେ ଗାଡ଼ି ଚାଳକ କେତେ ସଚେତନ ହୋଇଛନ୍ତି ତାହା ଆସନ୍ତାକାଲି ଜଣାପଡ଼ିବ।

Comment