ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ କୋରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ଦେଶରେ କୋରୋନା ରୋଗୀଙ୍କ ସଂଖ୍ୟା ୩୦ରେ ପହଞ୍ଚିଛି। ଗୁରୁବାର ଉତ୍ତରପ୍ରଦେଶର ଗାଜିଆବାଦରୁ ଆଉ ଜଣେ କୋରୋନା ରୋଗୀ ଚିହ୍ନଟ ହୋଇଛି। ରୋଗୀ ଜଣକ କିଛିଦିନ ହେଲା ଇରାନରୁ ଫେରିଥିଲେ। ଗୁରୁବାର ତାଙ୍କ କୋରୋନା ଯାଞ୍ଚ କରାଯାଇଥିଲା। ତେବେ ଯାଞ୍ଚ ପରେ ତାଙ୍କର କୋରୋନା ପଜିଟିଭ ରିପୋର୍ଟ ଆସିଥିଲା।

ଉତ୍ତରପ୍ରଦେଶରେ କୋରୋନା ରୋଗୀ ଚିହ୍ନଟ ହେବାପରେ ଦିଲ୍ଲୀ ସରକାର କୋରୋନାକୁ ନେଇ ତତ୍ପରତା ପ୍ରକାଶ କରିଛନ୍ତି। ଗୁରୁବାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକ ଛୁଟି ଘୋଷଣା କରିଛନ୍ତି। ଏହାସହ ଦିଲ୍ଲୀ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ବାୟୋମେଟ୍ରିକ ଉପାସ୍ଥାନକୁ ଅସ୍ଥାୟୀ ଭାବରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋରୋନା ଭାଇରସରୁ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।

କୋରୋନା ଭାଇରସ ସଚେତନତା ପାଇଁ ଜିଲ୍ଲା ଓ ବ୍ଲକ ସ୍ତରରୁ କାର୍ଯ୍ୟ କରାଯାଉଛି। ଏଥିପାଇଁ ପ୍ରସାଶନିକ ଅଧିକାରୀଙ୍କୁ ଟିମ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ।

ବର୍ତ୍ତମାନ ସୁଦ୍ଧା ଦେଶରେ ୩୦ଜଣ କୋରୋନ ଭାଇରସ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୬ଜଣ ଇଟାଲୀୟ ନାଗରିକ ରହିଛନ୍ତି। ଦିଲ୍ଲୀ ଓ ତେଲେଙ୍କାନାରେ ମଧ୍ୟ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି।

Comment