ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

‘‘ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏ ଦିଗରେ ରାଜ୍ୟ ସରକାର ଅନେକ ବାଟ ଆଗେଇ ଆସିଛନ୍ତି। ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ମିଳିଛି। ଆଗାମୀ ୪ ବର୍ଷ ଭିତରେ ଆଉ ୨୦ ଲକ୍ଷ ପକ୍କା ଘର ଯୋଗାଇ ଦେବାକୁ ଲକ୍ଷ୍ୟ ରହିଛି’’, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଲୋକସେବା ଭବନରେ ପଞ୍ଚାୟତିରାଜ ଦିବସ ଗୁରୁବାର ସନ୍ଧ୍ୟାରେ ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ।

‘‘ଆଜି ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବ। ଏହି ଅବସରରେ ୨୦ ଲକ୍ଷ ପକ୍କା ଘର ଯୋଗ୍ୟତା କାର୍ଡ ବଣ୍ଟନ ଶୁଭାରମ୍ଭ ହୋଇଛି। ଏହି କାର୍ଡ ବଣ୍ଟନ କରି ମୁଁ ବହୁତ ଖୁସି। ମୋ’ ସରକାର କଥା ନୁହେଁ, କାମରେ ବିଶ୍ୱାସ କରେ। ଆପଣମାନେ ଠିକ୍‌ ସମୟରେ ଘର ତିଆରି କରିବେ। ରାଜ୍ୟର ସମସ୍ତ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ସରକାର ଯେଉଁ ଉଦ୍ୟମ କରୁଛନ୍ତି ସେଥିରେ ସହଯୋଗ କରନ୍ତୁ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ଶକ୍ତିଶାଳି କରିବା ପାଇଁ ମୋ’ ସରକାର ବିଭିନ୍ନ ପଦକ୍ଷେପ ନେଇଛି’’, କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଲୋକମାନେ ହିଁ ଶ୍ରେଷ୍ଠ। ବିଜୁ ବାବୁ ସାଧାରଣ ଲୋକଙ୍କୁ ଗୁରୁତ୍ୱ ଦେଉଥିଲେ। ଏଣୁ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ଏବଂ ଲୋକସେବା ଦିବସ ଭାବେ ପାଳନ କରାଯାଉଛି।

ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ରାଜ୍ୟ ସ୍ତରୀୟ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ କିଛି ହିତାଧିକାରୀଙ୍କୁ ‘ପକ୍କା ଘର ଯୋଗ୍ୟତା କାର୍ଡ’ ବଣ୍ଟନ କରିଥିଲେ।

ଗୁରୁବାର ପୂର୍ବାହ୍ଣରେ କଟକ ବାଲିଯାତ୍ରା ପଡ଼ିଆରେ ପଞ୍ଚାୟତିରାଜ ଦିବସ ଏବଂ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ।

Comment