ଓଡ଼ିଶାଲାଇଭ୍‌ ବ୍ୟୁରୋ

  •  ଆସୁଛି ନୂଆ ପର୍ଯ୍ୟଟନ ନୀତି-୨୦୨୦
  • ହାରୋର ମତାମତ ଲୋଡ଼ିଲେ ରାଜ୍ୟ ସରକାର
  • ଓଡ଼ିଶାକୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିବା ଉପରେ ଫୋକସ୍‌
  • ପ୍ରମୁଖ ସ୍ଥାନକୁ ବିମାନସେବା ଉପରେ ଗୁରୁତ୍ୱ

ଏପ୍ରିଲ ପହିଲାରୁ ନୂଆ ପର୍ଯ୍ୟଟନ ନୀତି ଘୋଷଣା ହେବ। ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏହି ନୀତିରେ କ’ଣ ରହିବ ଏବଂ କ’ଣ ନରହିବ ସେନେଇ ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ୍‌ ଓଡ଼ିଶା (ହାରୋ) ସହ ରାଜ୍ୟ ସରକାରଙ୍କର ଆଲୋଚନା ହୋଇଥିଲା।

ଏହି ଆଲୋଚନାରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସଚିବ ବିଶାଳ ଦେବ, ହାରୋର ଅଧ୍ୟକ୍ଷ ତଥା ସ୍ୱସ୍ତି ଗ୍ରୁପ୍‌ର ସିଏମ୍‌ଡି ଜେ କେ ମହାନ୍ତି, ହାରୋର ବରିଷ୍ଠ ସଦସ୍ୟ ତଥା ହୋଟେଲ କ୍ରାଉନ୍‌ ଏବଂ ଡାଲ୍‌ମାର ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏୟାରଲାଇନ୍‌ସ, ହୋଟେଲ, ଇଣ୍ଡଷ୍ଟ୍ରିଆଲ ଟାରିଫ୍‌, ସବ୍‌ସିଡ୍‌ ଉପରେ ଆଲୋଚନା ହୋଇଥିଲା। ଏହାସହ ପର୍ଯ୍ୟଟନର କେଉଁ କେଉଁ କ୍ଷେତ୍ରକୁ ଅଧିକ ପ୍ରଚାର ପ୍ରସାର କରାଯିବ ତାହା ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା।

‘‘ହାରୋ ସହିତ ପର୍ଯ୍ୟଟନ ବିଭାଗର ଆଲୋଚନା ପ୍ରାୟତଃ ସବୁବେଳେ ହୋଇଥାଏ। ରାଜ୍ୟ ସରକାର ନୂଆ ପର୍ଯ୍ୟଟନ ନୀତି ୨୦୨୦ ଆଣିବାକୁ ଯାଉଛନ୍ତି। ଏହି ନୂଆ ନୀତି ଆସିବା ପୂର୍ବରୁ ଆମେ ହାରୋର ସଦସ୍ୟମାନଙ୍କ ସହିତ ଆଲୋଚନା କରିଛୁ। ଆମେ ସେମାନଙ୍କ ମତାମତ ଲୋଡ଼ିଛୁ। ସେମାନେ ଆମକୁ ସେମାନଙ୍କ ମତାମତ ଦେବେ’’, କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ।

‘‘ରାଜ୍ୟ ସରକାର ଯେଉଁ ନୂଆ ପର୍ଯ୍ୟଟନ ନୀତି ଲାଗୁ କରିବାକୁ ଯାଉଛନ୍ତି। ଏହି ନୀତି କିଭଳି ହେବ ସେ ସମ୍ପର୍କରେ ହାରୋ ସହିତ ଆଲୋଚନା କରିବାକୁ ଆମେ ସରକାରଙ୍କୁ ଅନୁରୋଧ କରିଥିଲୁ। ନୂଆ ପର୍ଯ୍ୟଟନ ନୀତି ବିଷୟରେ ଆଲୋଚନା ହେଲା। କେଉଁ କେଉଁ କ୍ଷେତ୍ରକୁ ଅଗ୍ରାଧିକାର ଦେବା କଥା ସେ ବିଷୟରେ ଆଲୋଚନା ହୋଇଛି’’, କହିଛନ୍ତି ହାରୋର ଅଧ୍ୟକ୍ଷ ତଥା ସ୍ୱସ୍ତି ଗ୍ରୁପ୍‌ର ସିଏମ୍‌ଡି ଜେ କେ ମହାନ୍ତି।

ଓଡ଼ିଶାର ବିଭିନ୍ନ ହୋଟେଲ ଏବଂ ରେସ୍ତୋରାଁ ମାଲିକମାନେ ଯେଉଁ ସମସ୍ୟା ଦେଇ ଗତି କରୁଛନ୍ତି ସେ ବିଷୟରେ ଆଲୋଚନା ହୋଇଥିଲା। ନୂଆ ପର୍ଯ୍ୟଟନ ନୀତିରେ ହୋଟେଲ ବ୍ୟବସାୟ ପାଇଁ ସହଜ ଏବଂ ସରଳ ନୀତି ଆପଣାଇବା ପାଇଁ ଗୁରୁତ୍ୱ ଦେଇଥିଲେ ବିଭିନ୍ନ ହୋଟେଲ ଓ ରେସ୍ତୋରାଁ ମାଲିକ।

‘‘ଓଡ଼ିଶାକୁ କିପରି ଅଧିକ ବିଦେଶୀ ପର୍ଯ୍ୟଟକ ଆସିପାରିବେ ସେ ଉପରେ ଆଲୋଚନା ହୋଇଥିଲା। ଏଥିପାଇଁ ବିଭିନ୍ନ ରାଜ୍ୟ ତଥା ବିଦେଶର ପ୍ରମୁଖ ସ୍ଥାନକୁ କିପରି ବିମାନସେବା ମିଳି ପାରିବ ସେ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଏହାସହ ହୋଟେଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟରେ ଓଡ଼ିଆ ଖାଦ୍ୟ ପ୍ରସ୍ତୁତି ଉପରେ ପାଠ୍ୟକ୍ରମ ରଖିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି’’, କହିଛନ୍ତି ହୋଟେଲ କ୍ରାଉନ୍‌ ଏବଂ ଡାଲ୍‌ମାର ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ।

ଗତ ସପ୍ଟେମ୍ବର ମାସରେ ଓଡ଼ିଶା ଟୁରିଜିମ୍‌ କନକ୍ଲେଭ ଅନୁଷ୍ଠିତ ହୋଇଥିଲା। ଦେଶ ବିଦେଶର ପର୍ଯ୍ୟଟକମାନେ କିପରି ଓଡ଼ିଶା ପ୍ରତି ଆକର୍ଷିତ ହେବେ ସେନେଇ ଆଲୋଚନା ହୋଇଥିଲା। ବିଭିନ୍ନ ହୋଟେଲ ଓ ରେସ୍ତୋରାଁ ମାଲିକ, ଟୁର୍‌ ଅପରେଟରମାନେ ଯୋଗଦେଇ ଓଡ଼ିଶା ପର୍ଯ୍ୟଟନର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ।

Comment