ଓଡିଶାଲାଇଭ ବ୍ୟୁରୋ
ବୁଡ଼ିବ ନାହିଁ ୟେସ ବ୍ୟାଙ୍କ ଖାତାଧାରୀଙ୍କ ଜମା ଟଙ୍କା। ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ୟେସ୍ ବ୍ୟାଙ୍କର ଅଂଶଧନ କିଣିବ। ଏନେଇ ଶନିବାର ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଅଧ୍ୟକ୍ଷ ରଜନିସ୍ କୁମାର।
ଶୁକ୍ରବାର ୟେସ ବ୍ୟାଙ୍କକୁ ଦେବାଳିଆ ଘୋଷଣା କରିଥିଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଏହାପରେ ଟଙ୍କା ବୁଡ଼ିଯିବା ଆଶଙ୍କାରେ ୟେସବ୍ୟାଙ୍କ ଖାତାଧାରୀଙ୍କ ମଧ୍ୟରେ ଭାଳେଣୀ ପଡ଼ିଥିଲା। ୟେସବ୍ୟାଙ୍କକୁ ଦେବାଳିଆ ପରିସ୍ଥିତିରୁ ମୁକୁଳିବା ପାଇଁ ୨୦ହଜାର କୋଟି ଆବଶ୍ୟକ ରହିଛି। ତେବେ ଏସବିଆଇ ୟେସ୍ ବ୍ୟାଙ୍କର ୪୯ପ୍ରତିଶତ ଅଂଶଧନ କଣିବାକୁ ମନ ବଳାଇଛି। ତେବେ ଏଥିପାଇଁ ଏସବିଆଇ ୨ହଜାର ୪୫୦କୋଟି ଟଙ୍କା ନିବେଶ କରିପାରେ ବୋଲି କହିଛନ୍ତି ଏସବିଆଇ ଅଧ୍ୟକ୍ଷ ରଜନିସ୍ କୁମାର। ଏନେଇ ଆରବିଆଇ ଉଭୟ ୟେସ ବ୍ୟାଙ୍କ ଓ ଏସବିଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଚଳାଇଛି।
ତେବେ ୟେସ୍ ବ୍ୟାଙ୍କର ଏହି ଅଂଶଧନ କଣିବାକୁ ଆରବିଆଇ ଏସବିଆଇ ଆଗରେ କେତେକ ସର୍ତ୍ତ ରଖିଛି।
ସର୍ତ୍ତ କ’ଣ ରହିଛି?
ଏହି ସର୍ତ୍ତ ଅନୁଯାୟୀ ଏସ୍ବିଆଇକୁ ୟେସ୍ ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ କିଣିବାକୁ ହେବ। ତେବେ ଏହି ଅଂଶଧନ ଅଧିଗ୍ରହଣ କେବଳ ୩ବର୍ଷ ପାଇଁ ରହିବ।
୩ବର୍ଷ ପରେ ଏହି ଅଂଶଧନ ୨୬ ପ୍ରତିଶତକୁ ଖସାଇ ଦିଆଯିବ। ଏହାସହ ଏସବିଆଇ ପ୍ରତିଟି ଅଂଶଧନକୁ ୧୦ଟଙ୍କା ମୂଲ୍ୟରେ କିଣିବାକୁ ହେବ। ଏହି ୧୦ଟଙ୍କାରେ ୮ଟଙ୍କା ପ୍ରିମିୟମ ମୂଲ୍ୟ ଓ ୨ଟଙ୍କା ଫେସମୂଲ୍ୟ ରହିବ।