ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୧୮ ବର୍ଷ ପରେ ଗୋଟିଏ ମଞ୍ଚରେ ନଜର ଆସିଲେ ଓଲିଉଡ୍‌ର ହିଟ୍‌ ଯୋଡ଼ି ସିଦ୍ଧାନ୍ତ-ରଚନା। ଆଗକୁ ସିଦ୍ଧାନ୍ତଙ୍କ ସହ ଫିଲ୍ମ କରିବା ନେଇ ଗ୍ରିନ ସିଗନାଲ ଦେଲେ ରଚନା।

୧୮ ବର୍ଷ ପରେ ଗୋଟିଏ ମଞ୍ଚରେ ପୁଣି ଏକାଠି ହେଲେ ସିଦ୍ଧାନ୍ତ ଓ ରଚନା। ଜି ସାର୍ଥକ ଚ୍ୟାନେଲ ପକ୍ଷରୁ ସଂସାର ଆଓ୍ଵାର୍ଡ ସୋ’। ଓଡ଼ିଆ ଫିଲ୍ମ ଜଗତକୁ ଅନେକ ହିଟ୍‌ ଫଲ୍ମ ଭେଟି ଦେଇଥିବା ଏହି ଯୋଡ଼ିଙ୍କୁ ଦେଖି ଦର୍ଶକ ବେଶ୍‌ ଖୁସି ହୋଇଥିଲେ।

ଏହି ସୋରେ ସିଦ୍ଧାନ୍ତ ରଚନା ପାଖାପାଖି ବସିଥିଲେ। ଷ୍ଟେଜ ଉପରକୁ ଯାଇ ଏକ ଗୀତରେ ଏକାଠି ନାଚିଥିଲେ। ୧୮ ବର୍ଷ ପରେ ଏହି ଯୋଡ଼ି ପୁଣି ଏକାଠି ନଜର ଆସିଥିବାରୁ ଆଗାମୀ ଦିନରେ ଓଲିଉଡ୍‌କୁ ଫେରିବା ନେଇ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ଏନେଇ ରଚନା ବାନାର୍ଜୀ ମଧ୍ୟ ଗଣମାଧ୍ୟମ ଆଗରେ ଗ୍ରୀନ ସିଗନାଲ ଦେଇଛନ୍ତି।

ମାର୍ଚ୍ଚ ୪ ତାରିଖରେ ଜି ସାର୍ଥକ ଚ୍ୟାନେଲ ପକ୍ଷରୁ ସଂସାର ଆଓ୍ଵାର୍ଡ ଶୋ’ରେ ଦେଖିବାକୁ ମିଳିଥିଲା ସିଦ୍ଧାନ୍ତ ଓ ରଚନାଙ୍କୁ। ଓଡ଼ିଆରେ ଭଲ ଷ୍ଟୋରି ମିଳିଲେ ସିଦ୍ଧାନ୍ତଙ୍କ ସହ ରଚନା ଅଭିନୟ କରିବେ ବୋଲି କହିଥିଲେ। ଏଥିରେ ସିଦ୍ଧାନ୍ତ ମଧ୍ୟ ସହମତି ପ୍ରକାଶ କରିଥିଲେ।

“ମୁ ୫୦ରୁ ଅଧିକ ଓଡ଼ିଆ ଫିଲ୍ମ କରିଛି। ତେବେ ବାହାଘର ପରେ ମୁଁ ପରିବାରକୁ ଅଧିକ ସମୟ ଦେବାକୁ ଚାହିଁଥିଲି। ଏଥିପାଇଁ ଓଡ଼ିଆ ଫିଲ୍ମରୁ ବିରତି ନେଇଥିଲି। ଏବେ ଯଦି ମତେ ଭଲ ଷ୍ଟୋରୀ ମିଳେ ତାହାଲେ ନିଶ୍ଚିତ ଭାବରେ ମୁ ଓଡ଼ିଆ ଫିଲ୍ମ କରିବାକୁ ଚାହିଁବି, ଯଦି ଫିଲ୍ମ କରେ କେବଳ ସିଦ୍ଧାନ୍ତଙ୍କ ସହ ହିଁ କରିବି।”, କହିଛନ୍ତି ଅଭନେତ୍ରୀ ରଚନା ବାନାର୍ଜୀ।

ଯଦି ଓଡ଼ିଆ ସିନେମାରେ ସୁପରହିଟ୍‌ ଯୋଡ଼ିଙ୍କ ଲିଷ୍ଟ ବାହାର କରାଯାଏ, ସେଥିରେ ସିଦ୍ଧାନ୍ତ ଓ ରଚନାଙ୍କ ଯୋଡ଼ି ପ୍ରଥମେ ଆସିବ। ଦିନ ଥିଲା ଏହି ଯୋଡ଼ି ଓଡ଼ିଆ ଦର୍ଶକଙ୍କୁ ନିଜ ଅଭିନୟର ଯାଦୁରେ ବାନ୍ଧି ରଖିଥିଲେ। ରଚନା ପ୍ରଥମେ ୧୯୯୪ ମସିହାରେ ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ସାଗର ଗଙ୍ଗା’ ଚଳଚ୍ଚିତ୍ରରେ ନିଜର ଆସିଥିଲେ। ନିଜ ଅଭିୟନ ଯାଦୁରେ ଓଡ଼ିଶାବାସୀଙ୍କୁ ବେଶ ଖୁସି କରିପାରିଥିଲେ ଏହି ବଙ୍ଗୀୟ ଅଭିନେତ୍ରୀ

ପରେ ସିଦ୍ଧାନ୍ତ ଓ ରଚନା ପ୍ରଥମେ ପ୍ରଖ୍ୟାତ ନିର୍ଦ୍ଦେଶକ ରବି କିନ୍ନାଗୀ ନିର୍ଦ୍ଦେଶିତ ‘ଭାଇ ହେଲା ଭଗାରି’ରେ ଏକାଠି ନଜର ଆସିଥିଲେ। ଏହାପରେ ‘କଳ୍‌କି ଅବତାର’, ‘ଗଙ୍ଗାଯମୁନା’, ‘ସୁହାଗ ସିନ୍ଦୂର’, ‘ଧର୍ମ ସହିଲେ ହେଲା’, ‘ମୋ କୋଳ ତୋ ଝୁଲଣା’, ‘ସନ୍ତାନ’, ‘କଣ୍ଢେଇ ଆଖିରେ ଲୁହ’, ‘ନାରୀ ନୁହେଁ ତୁ ନାରାୟଣୀ’, ‘ଲକ୍ଷ୍ମଣ ରେଖା’ ଆଦି ଓଡିଆ ସିନେମାରେ ଏହି ଯୋଡ଼ିଙ୍କୁ ବେଶ ପସନ୍ଦ କରିଥିଲେ ଓଡ଼ିଆ ଦର୍ଶକ। ୧୦ ବର୍ଷ ଧରି ଓଡ଼ିଆ ସିନେମାରେ ରାଜ୍‌ କରିଥିଲା ସିଦ୍ଧାନ୍ତ-ରଚନାଙ୍କ ଯୋଡ଼ି। ଏତେ ବର୍ଷ ପରେ ଓଲିଉଡର ଏହି ଚର୍ଚ୍ଚିତ ଯୋଡ଼ିଙ୍କ କମ୍‌ବ୍ୟାକ୍‌ ଖବର ଫ୍ୟାନ ଓ ଦର୍ଶକଙ୍କ ଲାଗି ନିଶ୍ଚିତ ଏକ ଭଲ ଖବର ଅଟେ।

ସିଦ୍ଧାନ୍ତ-ରଚନା ଯୋଡ଼ିଙ୍କର ଶେଷ ସିନେମା ଥିଲା ୨୦୦୨ରେ ମୁକ୍ତିଲାଭ କରିଥିବା ସୁପରହିଟ୍ ଫିଲ୍ମ ‘ସନ୍ତାନ’। ଅର୍ଥାତ୍ ଦୀର୍ଘ ୧୮ ବର୍ଷ ହେବ ଏହି ଯୋଡ଼ି କୌଣସି ଓଡ଼ିଆ ସିନେମାରେ ଏକାଠି କାମ କରିନାହାନ୍ତି। ୧୦ ବର୍ଷ ମଧ୍ୟରେ ୩୨ଟି ଓଡ଼ିଆ ଫିଲ୍ମରେ ଅଭିନୟ କରିଥିଲେ ରଚନା। ପରେ ସେ ପଶ୍ଚିମବଙ୍ଗ ଚାଲିଯାଇଥିଲେ।

ପରେ ୨୦୦୯ରେ ସିଦ୍ଧାନ୍ତ ବ୍ରହ୍ମପୁର ଆସନରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ। ତାଙ୍କ ବିପକ୍ଷରେ କଂଗ୍ରେସର ଚନ୍ଦ୍ରଶେଖର ସାହୁ ପ୍ରାର୍ଥୀ ହୋଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଏହି ନିର୍ବାଚନ ବେଳେ ଚନ୍ଦ୍ରଶେଖର ସାହୁଙ୍କ ପାଇଁ ରଚନା ବାନାର୍ଜୀ କ୍ୟାମ୍ପେନିଂ କରିବାକୁ ଆସିଥିଲେ।

ରଚନା କେବଳ ଓଡ଼ିଆ ନୁହେଁ ବିଭିନ୍ନ ଭାଷାରେ ପାଖାପାଖି ୮୪ରୁ ଅଧିକ ଫିଲ୍ମ କରିଛନ୍ତି। ରଚନା ଅମିତାଭ ବଚନଙ୍କ ସହିତ ସୂର୍ଯ୍ୟବଂଶମରେ ମଧ୍ୟ ନଜର ଆସିଥିଲେ। ବେଙ୍ଗଲି ଓଡ଼ିଆ ତେଲୁଗୁ ସହିତ ହିନ୍ଦୀରେ ଅନେକ ଚଳଚ୍ଚିତ୍ର କରିଛନ୍ତି। ନିକଟରେ ଆୟୋଜିତ ଜି ସାର୍ଥକର ସଂସାର ଆୱାର୍ଡ ଶୋ’ରେ ରଚନା ଏବଂ ସିଦ୍ଧାନ୍ତ ଏକାଠି ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ।

Comment