ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ଅଶୋକ ମହାପାତ୍ର। ଶନିବାର ସେ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି।

ପ୍ରଫେସର ଅଶୋକ ମହାପାତ୍ର ନୂଆଦିଲ୍ଲୀର ସ୍ନାୟୁବିଜ୍ଞାନ କେନ୍ଦ୍ରର ମୁଖ୍ୟଭାବେ କାର୍ଯ୍ୟ କରୁଥିଲେ। ୨୦୧୨ରୁ ୨୦୧୬ ମସିହା ପର୍ଯ୍ୟନ୍ତ ପ୍ରଫେସର ଅଶୋକ ମହାପାତ୍ର ଭୁବନେଶ୍ୱର ଏମସର ମଧ୍ୟ ନିର୍ଦ୍ଦେଶକ ଭାବେ ଦାୟିତ୍ୱରେ ରହିଥିଲେ।

ପ୍ରଫେସର ଅଶୋକ ମହାପାତ୍ର ୧୯୭୫ ମସିହାରେ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡ଼ିକାଲ କଲେଜରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ। ଏହାପରେ ସେ ୧୯୮୨ ମସିହାରେ ଏମସରୁ ନ୍ୟୁରୋ ସର୍ଜରିରେ ଏମସିଏଚ୍ ଡିଗ୍ରୀ ହାସଲ କରିଥିଲେ। ଏଥିସହିତ ସେ ନୂଆଦିଲ୍ଲୀର ଏମସରେ ସ୍ନାୟୁଶଲ୍ୟ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଓ ପରେ ସେହି ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ।

ପ୍ରଫେସର ଅଶୋକ ମହାପାତ୍ର ୨୦୧୭ ମସିହାରେ ଏମସରେ ଯୋଡ଼ା ମୁଣ୍ଡ ଥିବା ଶିଶୁ ଜଗା କାଳିଆଙ୍କ ସଫଳ ଅସ୍ତ୍ରୋପଚାର କରି ଚର୍ଚ୍ଚାକୁ ଆସିଥିଲେ। ଜଣେ ଶିଶୁ ସ୍ନାୟୁଶଲ୍ୟ ବିଶେଷଜ୍ଞ ଭାବେ ପ୍ରଫେସର ଅଶୋକ ମହାପାତ୍ରଙ୍କ ବେଶ୍ ଖ୍ୟାତି ରହିଛି।

ଶନିବାର ପ୍ରଫେସର ଅଶୋକ ମହାପାତ୍ର ସୋଆର କୁଳପତି ଦାୟିତ୍ୱ ନେବା ପରେ ସୋଆର ପ୍ରତିଷ୍ଠାତା ମନୋଜ ନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସୋଆର ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଆଇଟିଇଆରର ନିର୍ଦ୍ଦେଶକ ପ୍ରଫେସର ମାନସ ମଲ୍ଲିକ, ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ମୁଖ୍ୟ ଭିଜିଲାନ୍ସ ଅଫିସର୍ ଯୁଗଳ କିଶୋର ଦାସ ପ୍ରମୁଖ ଉପସ୍ଥିତ ରହି ପ୍ରଫେସର ଅଶୋକ ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Comment