ଓଡ଼ିଶାଲାଇଭ୍‌ ବ୍ୟୁରୋ

ୟେସ୍‌ ବ୍ୟାଙ୍କ ବଢ଼ାଇଲା ଅଡୁଆ। ୟେସ୍‌ ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ସୁରକ୍ଷିତ ଅଛି କି ନାହିଁ ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ ଦଳ। ଏହାକୁ ନେଇ ସାରା ରାଜ୍ୟରେ ମଧ୍ୟ ଏବେ ଏକ ପ୍ରକାର କମ୍ପନ ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ରାଜ୍ୟ ସରକାର ମଧ୍ୟ ତନାଘନା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଅନ୍ୟ କେଉଁ ବିଭାଗ ଏହି ବ୍ୟାଙ୍କରେ ଟଙ୍କା ରଖିଛନ୍ତି ସେନେଇ ମଧ୍ୟ ତଥ୍ୟ ମାଗିଛନ୍ତି ରାଜ୍ୟ ସରକାର।

କିଭଳି ମହାପ୍ରଭୁଙ୍କ ଟଙ୍କା ଫେରି ଆସିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ମହାପ୍ରଭୁଙ୍କ ଜମା ଅର୍ଥ ଫେରାଇ ଦେବାକୁ ରିଜର୍ଭ ବ୍ୟାଙ୍କକୁ ମଧ୍ୟ ଚିଠି ଲେଖିଛନ୍ତି।

କେଉଁ ବିଭାଗ କେଉଁ କେଉଁ ବ୍ୟାଙ୍କରେ ଟଙ୍କା ରଖିଛନ୍ତି ସେନେଇ କୌଣସି ବି ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ। ଅନ୍ୟପକ୍ଷରେ ଶ୍ରୀମନ୍ଦିର ବ୍ୟତୀତ ଅନ୍ୟ କେଉଁ ବିଭାଗ ଏହି ବ୍ୟାଙ୍କରେ ଟଙ୍କା ରଖିଛନ୍ତି ସେ ନେଇ ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ତଥ୍ୟ ନାହିଁ। ଏଭଳି ପରିସ୍ଥିତିରେ ଏବେ ରାଜ୍ୟ ସରକାର କଠୋର ନୀତି ଆପଣାଇଛନ୍ତି।

ବର୍ତ୍ତମାନ କେଉଁ ବ୍ୟାଙ୍କରେ କେତେ ଟଙ୍କା ଜମା କରାଯାଇଛି ସେନେଇ ସମସ୍ତ ତଥ୍ୟ ଅର୍ଥ ବିଭାଗକୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ସରକାରୀ ଉଦ୍ୟୋଗଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ତଥ୍ୟ ଦେବାକୁ କୁହାଯାଇଛି। ତଥ୍ୟ ଆସିଲା ପରେ ୟେସ୍‌ ବ୍ୟାଙ୍କରେ ଥିବା ସରକାରୀ ଅର୍ଥ ବିଷୟରେ ଜଣାପଡ଼ିବ ବୋଲି କୁହାଯାଉଛି।

ଫେବ୍ରୁଆରି ୨୫ ତାରିଖରେ ଆଇନମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ଥିବା ନେଇ ସୂଚନା ଦେଇଥିଲେ। ଏବେ ୟେସ୍‌ ବ୍ୟାଙ୍କ ଦେବାଳିଆ ହେବା ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ। ମହାପ୍ରଭୁଙ୍କ ଟଙ୍କା ସୁରକ୍ଷିତ ଅଛି ନା ନାହିଁ ଏନେଇ ପ୍ରଶ୍ନ ବାଣରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି।

Comment