ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଦେବାଳିଆ ଘୋଷଣା ହୋଇଥିବା ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ସୁରକ୍ଷିତ ତ? ଏହି ପ୍ରସଙ୍ଗକୁ ନେଇ ରାଜନୀତି ତେଜିଛି। ୟେସ୍‌ ବ୍ୟାଙ୍କ ଭଳି ଘରୋଇ ବ୍ୟାଙ୍କରେ ରାଜ୍ୟ ସରକାର ଜାଣିଶୁଣି ଟଙ୍କା ରଖିଥିବା ବିଜେପି ନେତା ବିଜୟ ମହାପାତ୍ର ଅଭିଯୋଗ କରିଥିବା ବେଳେ ବିଜେଡି ଏହାର ଜବାବ ଦେଇଛି। ବିଜେଡି ମୁଖପାତ୍ର ସୁବାସ ସିଂହ ସାମ୍ବାଦିକ ସମ୍ମିଳନୀରେ ବିଜୟଙ୍କୁ ଜବାବ ଦେଇଛନ୍ତି।

‘‘କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହୁଛନ୍ତି ୟେସ୍‌ ବ୍ୟାଙ୍କ ଗ୍ରାହକଙ୍କ ଟଙ୍କା ବୁଡ଼ିବନି। ରିଜର୍ଭ ବ୍ୟାଙ୍କ ବି କହୁଛି ଟଙ୍କା ସୁରକ୍ଷିତ। ହେଲେ ଓଡ଼ିଶା ବିଜେପିର ନେତୃମଣ୍ଡଳୀ ଟଙ୍କା ବୁଡ଼ିଯିବା ନେଇ କାହିଁକି ଆଶଙ୍କା କରୁଛନ୍ତି। ବିଜୟ ବାବୁଙ୍କ ଭଳି ପରୁଖା ନେତା ଏହି ପ୍ରସଙ୍ଗ ବାରମ୍ବାର ଉଠାଇ ରାଜନୀତିର ରଙ୍ଗ ଦେବାରେ କ’ଣ ଆବଶ୍ୟକତା ରହିଛି? ଟିକିଏ ଟିକିଏ କଥାକୁ ନେଇ ରାଜନୀତି କରିବା ବିଜୟ ବାବୁଙ୍କର ପୁରୁଣା ଅଭ୍ୟାସ’’, କହିଛନ୍ତି ସୁବାସ ସିଂହ।

ସୁବାସ ଆହୁରି କହିଛନ୍ତି ଯେ, କିଏ ସତ କହୁଛି? କେନ୍ଦ୍ର ଅର୍ଥମନ୍ତ୍ରୀ ନା ଓଡ଼ିଶା ବିଜେପିର ନେତାମାନେ? ଜଗନ୍ନାଥଙ୍କ ଟଙ୍କାକୁ ନେଇ ବିଜେପିର ଯଦି ଏତେ ଆନ୍ତରିକତା ଅଛି ତାହାଲେ କେନ୍ଦ୍ର ସରକାରଙ୍କ ପାଖକୁ ଯାଇ କେମିତି ଏହି ଟଙ୍କା ଅନ୍ୟ ବ୍ୟାଙ୍କକୁ ତୁରନ୍ତ ଆସିପାରିବ ସେ ବ୍ୟବସ୍ଥା କରନ୍ତୁ। ତୁଚ୍ଛା ରାଜନୀତି ଛାଡ଼ନ୍ତୁ।

ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା ରହିଛି। ୟେସ୍‌ ବ୍ୟାଙ୍କ ଆର୍ଥିକ ସଂକଟ ଦେଇ ଗତି କରୁଥିବାରୁ ଆର୍‌ବିଆଇ ଟଙ୍କା ଉଠାଣରେ କଟକଣା ଲଗାଇଛି। ଏହାକୁ ନେଇ ରାଜନୀତି ଜୋର୍‌ ଧରିଛି।

ବିଜୟ କହିଥିଲେ, ‘‘ଯେଉଁମାନେ ୟେସ୍‌ ବ୍ୟାଙ୍କରେ ଟଙ୍କା ରଖିଛନ୍ତି ସେମାନେ ସରକାରଙ୍କୁ ଜଣାଇ ଏହି କାମ କରିଛନ୍ତି। ଫଳରେ ସରକାର ଆଜି ଯାଏଁ ନୀରବ ରହିଛନ୍ତି। ଶ୍ରୀମନ୍ଦିରର ଯେତେ ପାଣ୍ଠି ଅଛି ତାହା ବେଆଇନ ଭାବେ କାରବାର ହେଉଛି। ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଟଙ୍କା ବିଭିନ୍ନ ବ୍ୟାଙ୍କରେ ରହୁଛି। ଏକଥା କ’ଣ ସରକାର ଜାଣି ନାହାନ୍ତି?’’

‘‘ଓଡ଼ିଶାର ଆକାଉଣ୍ଟାଣ୍ଟ ଜେନେରାଲ ୨୦୧୫ରେ ଏହି ଘଟଣା ସମ୍ପର୍କରେ ସରକାରଙ୍କୁ ଜଣାଇଥିଲେ। ସରକାର ସମ୍ପୂର୍ଣ୍ଣ ଭାବେ ଏହି ଘଟଣାକୁ ଜାଣିଛନ୍ତି। ସରକାର ଏ ବିଷୟରେ ସ୍ପଷ୍ଟୀକରଣ ଦେବା ଦରକାର। ୟେସ୍‌ ବ୍ୟାଙ୍କରେ ଟଙ୍କା ରଖାଯିବା ସମ୍ପର୍କରେ ପରିଚାଳନା କମିଟି ଜାଣିନି। ଗଜପତି ମହାରାଜା ବି ଜାଣି ନାହାନ୍ତି। ସରକାରଙ୍କ ପକ୍ଷରୁ ନିଯୁକ୍ତ ଦୁଇ ଜଣ ସଭ୍ୟ ଏବଂ କିଛି ଅଧିକାରୀଙ୍କ ଜାଣତରେ ଟଙ୍କା ରଖାଯାଇଛି। ଯେଉଁମାନେ ବେଆଇନ କାମ କରିଛନ୍ତି ସେମାନଙ୍କ ବିରୋଧରେ ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି?’’

‘‘ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ କହିଥିଲେ। ହେଲେ ସରକାର କାହିଁକି ନିଯୁକ୍ତ କରୁ ନାହାନ୍ତି? ଶ୍ରୀମନ୍ଦିର ଟଙ୍କା ଲୁଟିବା ପାଇଁ ଏକ ଗ୍ୟାଙ୍ଗ ତିଆରି ହୋଇଛି। ଇଡି ତଦନ୍ତ କଲେ ସବୁ ଖୁଲାସା ହୋଇପାରିବ’’, କହିଛନ୍ତି ବିଜୟ ମହାପାତ୍ର।

Comment