ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ୟେସ୍‌ ବ୍ୟାଙ୍କରେ ରହିଛି ପୁରୀ ଶ୍ରୀମନ୍ଦିରର ୫୪୫ କୋଟି ଟଙ୍କା। ଏତେଗୁଡ଼ାଏ ଟଙ୍କା କେମିତି ୟେସ୍‌ ବ୍ୟାଙ୍କରୁ ଆସିବ ତାକୁ ନେଇ ବିଭିନ୍ନ ମହଲରେ ଭାଳେଣି ପଡ଼ିଥିବା ବେଳେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ସରକାରଙ୍କ ଜାଣତରେ ୟେସ୍‌ ବ୍ୟାଙ୍କରେ ଟଙ୍କା ରଖାଯାଇଥିବା ବିଜୟ କହିଛନ୍ତି। ଯଦି ୟେସ୍‌ ବ୍ୟାଙ୍କ ଟଙ୍କା ପାଇଁ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଜେଲ୍‌ ଗଲେ ତାହାଲେ ଶ୍ରୀମନ୍ଦିର ଟଙ୍କା ରଖିଥିବା ବ୍ୟକ୍ତି କାହିଁକି ଯିବେନି ବୋଲି ବିଜୟ ପ୍ରଶ୍ନ କରିଛନ୍ତି।

ବିଜୟ କହିଛନ୍ତି, ‘‘ଯେଉଁମାନେ ୟେସ୍‌ ବ୍ୟାଙ୍କରେ ଟଙ୍କା ରଖିଛନ୍ତି ସେମାନେ ସରକାରଙ୍କୁ ଜଣାଇ ଏହି କାମ କରିଛନ୍ତି। ଫଳରେ ସରକାର ଆଜି ଯାଏଁ ନୀରବ ରହିଛନ୍ତି। ଶ୍ରୀମନ୍ଦିରର ଯେତେ ପାଣ୍ଠି ଅଛି ତାହା ବେଆଇନ ଭାବେ କାରବାର ହେଉଛି। ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଟଙ୍କା ବିଭିନ୍ନ ବ୍ୟାଙ୍କରେ ରହୁଛି। ଏକଥା କ’ଣ ସରକାର ଜାଣି ନାହାନ୍ତି?’’

‘‘ଓଡ଼ିଶାର ଆକାଉଣ୍ଟାଣ୍ଟ ଜେନେରାଲ ୨୦୧୫ରେ ଏହି ଘଟଣା ସମ୍ପର୍କରେ ସରକାରଙ୍କୁ ଜଣାଇଥିଲେ। ସରକାର ସମ୍ପୂର୍ଣ୍ଣ ଭାବେ ଏହି ଘଟଣାକୁ ଜାଣିଛନ୍ତି। ସରକାର ଏ ବିଷୟରେ ସ୍ପଷ୍ଟୀକରଣ ଦେବା ଦରକାର। ୟେସ୍‌ ବ୍ୟାଙ୍କରେ ଟଙ୍କା ରଖାଯିବା ସମ୍ପର୍କରେ ପରିଚାଳନା କମିଟି ଜାଣିନି। ଗଜପତି ମହାରାଜା ବି ଜାଣି ନାହାନ୍ତି। ସରକାରଙ୍କ ପକ୍ଷରୁ ନିଯୁକ୍ତ ଦୁଇ ଜଣ ସଭ୍ୟ ଏବଂ କିଛି ଅଧିକାରୀଙ୍କ ଜାଣତରେ ଟଙ୍କା ରଖାଯାଇଛି। ଯେଉଁମାନେ ବେଆଇନ କାମ କରିଛନ୍ତି ସେମାନଙ୍କ ବିରୋଧରେ ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି?’’

‘‘ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ କହିଥିଲେ। ହେଲେ ସରକାର କାହିଁକି ନିଯୁକ୍ତ କରୁ ନାହାନ୍ତି? ଶ୍ରୀମନ୍ଦିର ଟଙ୍କା ଲୁଟିବା ପାଇଁ ଏକ ଗ୍ୟାଙ୍ଗ ତିଆରି ହୋଇଛି। ଇଡି ତଦନ୍ତ କଲେ ସବୁ ଖୁଲାସା ହୋଇପାରିବ’’, କହିଛନ୍ତି ବିଜୟ ମହାପାତ୍ର।

Comment