ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେଡିର ଋଣ ସୁଝିଦେଲା ବିଜେପି।

ଓଡ଼ିଶାରେ ଖାଲି ହେଉଥିବା ଚାରି ରାଜ୍ୟସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଦେଇଛି। ସୁବାସ ସିଂହ, ମୁନ୍ନା ଖାଁ, ସୁଜିତ କୁମାର ଏବଂ ମମତା ମହାନ୍ତ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କଂଗ୍ରେସ ଏବଂ ବିଜେପି ପ୍ରାର୍ଥୀ ଦେଉ ନଥିବାରୁ ବିଜେଡିର ଏହି ଚାରି ପ୍ରାର୍ଥୀ ନିର୍ଦ୍ଦ୍ୱନ୍ଦ୍ୱରେ ରାଜ୍ୟସଭା ଯିବା ସ୍ପଷ୍ଟ ହୋଇଯାଇଛି।

କଂଗ୍ରେସ ହାତରେ ୯ ଜଣ ବିଧାୟକ ରହିଥିବାରୁ ଦଳ ପ୍ରାର୍ଥୀ ଦେବାକୁ ସିଧା ସିଧା ମନା କରିଦେଇଥିଲା। ବିଜେପି ହାତରେ ୨୩ଟି ଆସନ ଥିବାରୁ ଦଳ ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ଦେଇପାରେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ବିଜେପି ସଂସଦୀୟ ବୋର୍ଡ କୌଣସି ପ୍ରାର୍ଥୀ ଦେବା ନେଇ ନିଷ୍ପତ୍ତି ନେଇପାରିଲା ନାହିଁ। ଫଳରେ ବିଜେପି ବିଜେଡିର ଋଣ ସୁଝି ଦେଇଥିବା ଚର୍ଚ୍ଚା ହେଉଛି। ପ୍ରାର୍ଥୀ ଦେବା ସମ୍ପର୍କରେ ଠିକଣା ସମୟରେ ନିଷ୍ପତ୍ତି ନନେଇ ବିଜେପି ନୀରବ ରହି ବିଜେଡିକୁ ବାଟ ଛାଡ଼ିଥିବା କୁହାଯାଉଛି।

ବିଜେଡି ହାତରେ ୧୧୩ ବିଧାୟକ ରହିଛନ୍ତି। କଂଗ୍ରେସ ହାତରେ ୯ ଏବଂ ବିଜେପି ହାତରେ ୨୩ ବିଧାୟକ ଅଛନ୍ତି। ଜଣେ ସ୍ୱାଧୀନ ଏବଂ ସିପିଏମ୍‌ ବିଧାୟକ ଅଛନ୍ତି। ସିପିଏମ୍‌ ରାଜ୍ୟସଭା ନିର୍ବାଚନ ବର୍ଜନ କରିବ ବୋଲି ପୂର୍ବରୁ ଘୋଷଣା କରି ସାରିଥିବା ବେଳେ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ବିଜେଡି ପଟକୁ ଢଳିଥିବା କୁହାଯାଉଛି।

ଜଣେ ପ୍ରାର୍ଥୀ ରାଜ୍ୟସଭା ଯିବା ପାଇଁ ୩୦ ଜଣ ବିଧାୟକଙ୍କ ସମର୍ଥନ ଦରକାର। ବିଜେଡି ହାତରେ ଯେତିକି ବିଧାୟକ ଅଛନ୍ତି ସେତିକିରେ ୩ ଜଣ ପ୍ରାର୍ଥୀ ରାଜ୍ୟସଭାକୁ ଯାଇ ପାରିବେ। ଚତୁର୍ଥ ଆସନରେ କ’ଣ ହେବ ତା’ ଉପରେ ନଜର ରହିଥିଲା। ଚତୁର୍ଥ ଆସନ ଜିତିବା ପାଇଁ ବିଜେଡିକୁ ଆଉ ୬ ଜଣ ବିଧାୟକଙ୍କ ସମର୍ଥନ ଦରକାର ଥିଲା। ଯଦି ବିଜେପି ଏଥର ପ୍ରାର୍ଥୀ ଦେଇଥାନ୍ତା ତାହାଲେ ବିଜେଡି ପାଇଁ ଅଡୁଆ ସୃଷ୍ଟି ହୋଇଥାନ୍ତା।

ଚତୁର୍ଥ ଆସନ ପାଇଁ ବିଜେଡି-ବିଜେପି ଭିତରେ ଛକାପଞ୍ଝା ଲାଗିଥାନ୍ତା। ବିଜେପି ତା’ ମାନ ରକ୍ଷା କରିବା ପାଇଁ ଏହି ଆସନ ହାତେଇବାକୁ ଜୋରଦାର କସରତ କରିଥାନ୍ତା ଏବଂ ବିଜେଡି ବି ଉଦ୍ୟମ କରିଥାନ୍ତା। ହେଲେ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ନଦେଇ ବିଜେଡିକୁ ବାଟ ଛାଡ଼ି ଦେଇଛି। ତେବେ ବିଜେପି ବିଜେଡିକୁ କାହିଁକି ଚେକ୍‌ ଦେଲାନି ତାକୁ ନେଇ ଏବେ ସବୁଠି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତ ଜୁନ୍‌ ମାସରେ ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହୋଇଥିଲା। ବିଜେପି-ବିଜେଡି ଭାଗବାଣ୍ଟି ଆସନ ନେଇଯାଇଥିଲେ। ବିଜେଡି ଦୁଇଟି ଆସନ ହାତେଇଥିବା ବେଳେ ବିଜେଡି ସମର୍ଥନରେ ବିଜେପି ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପଠାଇଥିଲା। ଏଥର ବି ସମାନ ଫର୍ମୁଲା ପଡ଼ିପାରେ ବୋଲି ଆଲୋଚନା ହେଉଥିଲା। କିନ୍ତୁ ଲଢ଼େଇକୁ ଯିବା ପାଇଁ ବିଜେପି ହାତଟେକି ଦେଲା।

ଗତ ଜୁନ୍‌ ମାସରେ ବିଜେପିକୁ ବିଜେଡି ସମର୍ଥନ ଦେଇଥିବା ବେଳେ ଏଥର ପ୍ରାର୍ଥୀ ନଦେଇ ବିଜେପି ବିଜେଡିକୁ ଚାରିଟିଯାକ ଆସନ ଛାଡ଼ିଦେଇଛି। ବିଜେପି ଏବଂ ବିଜେଡିର ଏଭଳି ସମ୍ପର୍କ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

ବିଜେପି ଯଦି ଏଥର ପ୍ରାର୍ଥୀ ଦେଇଥାନ୍ତା ତାହାଲେ ରାଜ୍ୟସଭା ନିର୍ବାଚନ ଏଥର ରୋଚକ ମୋଡ଼ ନେଇଥାନ୍ତା। ହେଲେ ବିଜେପି ନୀରବ ରହି ବିଜେଡିକୁ ପାସ୍‌ ଦେଇଛି।

ଗତ କିଛିଦିନ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିଥିଲେ। ଲୋକସେବା ଭବନରେ ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ଯୋଗଦେବା ପରେ ନବୀନ ନିବାସରେ ମଧ୍ୟାହ୍ନଭୋଜନ କରିଥିଲେ। ଏହି ଭୋଜନ ବେଳେ ରାଜ୍ୟସଭା ଡିଲ୍‌ ହୋଇଥିବା କୁହାଯାଉଛି।

ସବୁଠୁ ବଡ଼ କଥା ହେଉଛି କେନ୍ଦ୍ର ସରକାରଙ୍କ ପାଖରେ ଓଡ଼ିଶା ବିଧାନ ପରିଷଦ ବିଲ୍‌ ଅଟକିଛି। ବିଜେଡି ଚାହୁଁଛି ଚଳିତ ବଜେଟ୍‌ ଅଧିବେଶନରେ ବିଲ୍‌ ପାସ୍‌ ହେଉ। ଏହି ବିଲ୍‌ ପାସ୍‌ କରିବାକୁ ବିଜେପି ଗୋଟିଏ କିମ୍ବା ଦୁଇଟି ରାଜ୍ୟସଭା ସିଟ୍‌ ମାଗିପାରେ ବୋଲି କୁହାଯାଉଥିଲା। ହେଲେ ବିଜେପି ଏଥର ପୂରା ନୀରବ ରହି ବିଜେଡିକୁ ପରୋକ୍ଷରେ ସମର୍ଥନ ଦେଇଥିବା ଚର୍ଚ୍ଚା ହେଉଛି।

Comment