ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆପଣଙ୍କର ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଆକାଉଣ୍ଟ ଅଛି କି? ଯଦି ହଁ, ତେବେ ଏହା ଆପଣଙ୍କ ପାଇଁ ଖୁସି ଖବର। ଦେଶର ସବୁଠୁ ବଡ଼ ବ୍ୟାଙ୍କ୍ ଏସବିଆଇ ତାର ଗ୍ରାହକମାନଙ୍କ ପାଇଁ କିଛି ନୂଆ ନିୟମ ଆଣିଛି। ଏହି ନିୟମ ଫଳରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପ୍ରାୟ ୪୪ କୋଟି ଲୋକ ଉପକୃତ ହୋଇପାରିବେ।

ସର୍ବନିମ୍ନ ବାଲାନ୍ସ ରଖିବାକୁ ପଡ଼ିବନି

SBI ପକ୍ଷରୁ ସର୍ବନିମ୍ନ ବାଲାନ୍ସ ଶୁଳ୍କକୁ ବନ୍ଦ କରିଦିଆଯାଇଛି। ଗ୍ରାହକଙ୍କୁ ଆଉ ଖାତାରେ ଏକ ନିର୍ଦ୍ଦିଷ୍ଟ ପରିମାଣର ସର୍ବନିମ୍ନ ମିନିମମ୍‌ ବାଲାନ୍ସ ବା ସର୍ବନିମ୍ନ ବାଲାନ୍ସ ରଖିବାକୁ ପଡ଼ିବ ନାହିଁ।

ସହରାଞ୍ଚଳ, ଅର୍ଧ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ଗ୍ରାହକଙ୍କ ପାଇଁ ଯଥାକ୍ରମେ ୩୦୦୦ ଟଙ୍କା, ୨ହଜାର ଟଙ୍କା ଓ ୧ହଜାର ଟଙ୍କା ସର୍ବନିମ୍ନ ବାଲାନ୍ସ ସୀମା ଧାର୍ଯ୍ୟ କରାଯାଇଥିଲା। ଯେଉଁ ଗ୍ରାହକମାନଙ୍କର ଆକାଉଣ୍ଟରେ ଏହି ଧାର୍ଯ୍ୟ ସୀମାଠାରୁ କମ୍‌ ରହୁଥିଲା, ସେମାନଙ୍କଠାରୁ ୫ଟଙ୍କାରୁ ଆରମ୍ଭ କରି ୧୫ ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଆଦାୟ ହେଉଥିଲା। ବର୍ତ୍ତମାନ ଧାର୍ଯ୍ୟ ସୀମା ହଟିଯାଇଛି।

SMS ଚାର୍ଜ ଉଠିଲା

SBI ତରଫରୁ ଏସ୍‌ଏମ୍‌ଏସ୍‌ ସେବା ଉପରେ ପ୍ରତି ତିନି ମାସରେ ଗ୍ରାହକଙ୍କଠାରୁ ଆଦାୟ କରାଯାଉଥିବା ଚାର୍ଯକୁ ମଧ୍ୟ ପ୍ରତ୍ୟାହାର କରିଦିଆଯାଇଛି।

ଏଣିକି ଲୋକମାନଙ୍କୁ ଷ୍ଟେଟ୍ ବ୍ୟାଙ୍କ ମାଗଣାରେ ଏସ୍ଏମ୍ଏସ୍ ସୁବିଧା ଯୋଗାଇଦେବ।

ଲୋନ୍ ହେବ ଶସ୍ତା

ଏସବିଆଇ ମାର୍ଜିନାଲ୍ କାଷ୍ଟ୍ ଅଫ୍ ଫଣ୍ଡ୍ ଲିଣ୍ଡରିଙ୍ଗ୍ ରେଟ୍ (ଏମସିଏଲଆର)କୁ ମଧ୍ୟ କମ କରିଦେଇଛି। ଏହା ଫଳରେ ଏବେ ଏସବିଆଇ ଗ୍ରାହକମାନଙ୍କୁ ବ୍ୟକ୍ତିଗତ ଋଣ କିମ୍ବା ଗୃହ ଋଣ ନେବା ଶସ୍ତା ହୋଇଯିବ।

ସଞ୍ଚୟ ଖାତାଧାରୀଙ୍କୁ ଝଟକା

ଏସବିଆଇର ନୂଆ ନିୟମରେ ସଞ୍ଚୟ ଖାତାଧାରୀଙ୍କୁ ବଡ଼ ଝଟକା ଲାଗିଛି। ଏକ ଲକ୍ଷ ଟଙ୍କାରୁ କମ୍ ସଞ୍ଚୟ ଉପରେ ମିଳୁଥିବା ସୁଧକୁ ବ୍ୟାଙ୍କ୍ ୩.୨୫ ପ୍ରତିଶତରୁ କମାଇ ୩ ପ୍ରତିଶତ କରିଦେଇଛି। ଏହାଫଳରେ ଏଣିକି ଲୋକମାନେ ପୂର୍ବ ଅପେକ୍ଷା କମ୍ ସୁଧ ପାଇବେ।

ଫିକ୍ସ ଡିପୋଜିଟ୍ ଉପରେ ସୁଧହାର କମିଲା

ଷ୍ଟେଟ୍ ବ୍ୟାଙ୍କ ଏଥିସହିତ ବିଭିନ୍ନ ପ୍ରକାର ମାଚୁରିଟି ପ୍ଲାନର ସୁଧହାର ମଧ୍ୟ କମାଇ ଦେଇଛି। ପୂର୍ବରୁ ୭ରୁ ୪୫ ଦିନ ମଧ୍ୟରେ ମାଚୁରିଟି ହେଉଥିବା ଫିକ୍ସ୍ ଡିପୋଜିଟ (ଦୁଇ କୋଟିରୁ କମ୍) ଉପରେ ବ୍ୟାଙ୍କ ୪.୫୦ ପ୍ରତିଶତ ସୁଧ ଦେଉଥିଲା। ଏହାକୁ ଏବେ କମାଇ ଦେଇ ୪ ପ୍ରତିଶତ କରିଦିଆଯାଇଛି।

ସେହିପରି ଏକ ବର୍ଷରୁ ଦୁଇ ବର୍ଷ ମଧ୍ୟରେ ମାଚୁରିଟି ହେଲା ଭଳି ଫିକ୍ସ୍ ଡିପୋଜିଟ୍ ଉପରେ ବ୍ୟାଙ୍କ୍ ଏବେ ୫.୯୦ ପ୍ରତିଶତ ସୁଧ ଦେବ। ଏହା ପୂର୍ବରୁ ୬ ପ୍ରତିଶତ ରହିଥିଲାଯାହାକୁ ବର୍ତ୍ତମାନ ନୂଆ ନିୟମରେ ବଦଳାଇ ଦିଆଯାଇଛି।

Comment