ଓଡ଼ିଶାଲାଇଭ୍ ବ୍ୟୁରୋ

କୋରୋନା ଭାଇରସକୁ ନେଇ ସୁପ୍ରିମକୋର୍ଟ କଟକଣା ଜାରି କରିଛନ୍ତି। ମାର୍ଚ୍ଚ ୧୬ତାରିଖଠାରୁ କେବଳ ଜରୁରୀ ମାମଲାର ଶୁଣାଣି କରାଯିବା ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି କୋର୍ଟ ଗୃହ ଭିତରକୁ କେବଳ ବାଦୀ, ପ୍ରତିବାଦୀ ଓ ଓକିଲଙ୍କୁ ଯିବାକୁ ଅନୁମତି ମିଳି ପାରିବ। ଏହାସହ ଜଣେ ପକ୍ଷଭୁକ୍ତ ସହବାଦି କୋର୍ଟରୁମ ଯାଇପାରିବେ।

କୋର୍ଟରେ ଅଧିକ ଲୋକ ଜମା ହେଲେ କୋରୋନା ଭାଇରସ ବ୍ୟାପିବା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏହି କଟକଣା ଜାରି କରିଛନ୍ତି। ଆସନ୍ତା ସୋମବାରଠୁ ଏହି ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ।

କୋରୋନା ଭାଇରସର ମୁକାବିଲା କରିବା ପାଇଁ ବିଭିନ୍ନ ସ୍ତରରୁ ସଚେତନମୁଳକ ପଦକ୍ଷେପ ନିଆଯାଉଛି। କୌଣସି ସ୍ଥାନରେ ସେମିନାର ଓ ସମ୍ମିଳନୀ କରିବା ନେଇ କଟକଣା ଜାରି କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ବିଭିନ୍ନ ରାଜ୍ୟ କୋରୋନା ବ୍ୟାପିବା ଆଶଙ୍କାରେ ସ୍କୁଲ, କଲେଜ ଛୁଟି ଘୋଷଣା କରିବା ସହ ସିନେମା ହଲ ବନ୍ଦ କରିଛନ୍ତି।

ଗୁରୁବାର ଭାରତରେ ପ୍ରଥମ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ଏହାସହ ଭାରତରେ ବର୍ତ୍ତମାନ ସୁଦ୍ଧା ୮୧ଜଣ କୋରୋନା ରୋଗୀ ଚିହ୍ନଟ ହୋଇସାରିଛନ୍ତି। କୋରୋନାରୋଗୀଙ୍କ ପାଇଁ ଆଇସୋଲେସନ ୱାର୍ଡର ବ୍ୟବସ୍ଥା କରାଯାଇଛି।

Comment