ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା କବଳରୁ ସୁରକ୍ଷିତ ଘରକୁ ଫେରିଲେ ଓଡ଼ିଆ ଇଞ୍ଜିନିୟର ଶିବାଶିଷ ନାୟକ। ଦୀର୍ଘ ଦେଢ଼ମାସ ଧରି ଜାପାନର ଡାଇମଣ୍ଡ ପ୍ରିନ୍‌ସେସ୍‌ ଜାହାଜରେ ଫସି ରହିଥିବା ଶିବାଶିଷ ଶୁକ୍ରବାର ରାତିରେ ଘରକୁ ଫେରିଛନ୍ତି। ପୁଅର ଘର ବାହୁଡ଼ାରେ ପରିବାର ଲୋକ ମଧ୍ୟ ଆଶ୍ୱସ୍ତ ହୋଇଛନ୍ତି।

‘‘ଦିନକୁ ଦିନ ଆଖି ଆଗରେ କୋରୋନା ଆକ୍ରାନ୍ତ ସଂଖ୍ୟା ବଢ଼ୁଥିଲା। ଉଦ୍ଧାର କାର୍ଯ୍ୟ ବିଳମ୍ବ ହେବା ଯୋଗୁଁ ଜାହାଜରେ ୮୦ ଜଣ ଆକ୍ରାନ୍ତ ହୋଇଗଲେ। ସେଥିପାଇଁ ବହୁତ ଡର ଲାଗୁଥିଲା’’, କହିଛନ୍ତି ଶିବାଶିଷ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କ୍ୱାରେଣ୍ଟାଇନ ପିରିୟଡରେ ଫଳ ଏବଂ ନୁଡୁଲ୍ସ ଖାଇ ରହୁଥିଲୁ। ଫେବ୍ରୁଆରି ୧୯ରେ କ୍ୱାରେଣ୍ଟାଇନ ପିରିୟଡ ଶେଷ ହୋଇଥିଲେ ବି ଉଦ୍ଧାର କାର୍ଯ୍ୟ ୪ ଦିନ ବିଳମ୍ବ ହୋଇଥିଲା।

ଫେବ୍ରୁଆରି ୪ ତାରିଖରେ ଶିବାଶିଷ ଜାପାନର ୟୋକହମା ବନ୍ଦରରେ ଫସି ରହିଥିଲେ। ତାଙ୍କ ସହିତ ୧୧୯ ଜଣ ଭାରତୀୟ ମଧ୍ୟ ସେଠାରେ ଅଟକ ଥିଲେ।

ଭାରତ ସରକାରଙ୍କ ଉଦ୍ୟମରେ ଏୟାର ଇଣ୍ଡିଆ ସ୍ୱତନ୍ତ୍ର ବିମାନରେ ସେମାନଙ୍କୁ ଭାରତ ଅଣାଯାଇଥିଲା। ଏହାପରେ୧୪ ଦିନ ଧରି ହରିୟାଣାର ମାନେସାରଠାରେ କ୍ୱାରାଂଟାଇନ୍ ସେଣ୍ଟରରେ ରଖାଯାଇଥିଲା। ଶିବାଶିଷଙ୍କର ଫେବ୍ରୁଆରି ୨୭ ଓ ମାର୍ଚ୍ଚ ୧୧ ତାରିଖରେ ନମୂନା ପରୀକ୍ଷା କରାଯାଇଥିଲା। ଦୁଇଟି ଯାକ ନମୂନା ରିପୋର୍ଟ ନେଗେଟିଭ୍ ଆସିଥିଲା।

ବ୍ରହ୍ମପୁର ପନ୍ଦରା ସାହିର ଲିଙ୍ଗରାଜ ନାୟକଙ୍କ ସାନ ପୁଅ ହେଉଛନ୍ତି ଶିବାଶିଷ। ସେ ଗୁରଗାଓଁର ହୁଗ୍ସ ସାଇସଟକରେ ଜଣେ ସଫ୍ଟୱେୟାର ଇଂଜିନିୟର ଭାବେ କାର୍ଯ୍ୟରତ। ଗତ ଜାନୁଆରି ୧୦ ତାରିଖରେ ସେ ମାଲେସିଆ ଓ ଜାପାନ ଯାଇଥିଲେ।

Comment