ଓଡ଼ିଶାଲାଇଭ୍ ବ୍ୟୁରୋ

ସମଗ୍ର ବିଶ୍ୱରେ କରୋନା ଭାଇରସ ଯୋଗୁଁ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ଛଅ ହଜାର  ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଲକ୍ଷରେ ପହଞ୍ଚିଛି। ଆଶ୍ୱାସନାର ବିଷୟ ଭାରତରେ କିନ୍ତୁ ଏହି ରୋଗର ଭୟାବହତା ଏତେ ମାତ୍ରାରେ ନାହିଁ। ଅବଶ୍ୟ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ଇତି ମଧ୍ୟରେ ଶହେ ଟପିଥିବା ବେଳେ ଏ ଯାଏଁ ମାତ୍ର ଦୁଇ ଜଣ ପ୍ରାଣ ହରାଇଥିବା ଜଣାପଡିଛି। ତେବେ ତାତ୍ପର୍ଯ୍ୟର ବିଷୟ ହେଲା ଭାରତର ଜନସଂଖ୍ୟା ୧୩୫ କୋଟିରୁ ବି ଅଧିକ କିନ୍ତୁ ସଂକ୍ରମଣ ତା ତୁଳନାରେ ବହୁତ କମ।

ଇଟାଲୀ ଅବସ୍ଥା

ଚୀନ ଅର୍ଥାତ ଯେଉଁଠି କରୋନା ଭାଇରସ ସୃଷ୍ଟି ହୋଇଥିଲା ସେଠି ଏଯାଏଁ ମୃତ୍ୟୁ ସଂଖ୍ୟା ୩ ହଜାର ଡେ଼ଇଁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ହୋଇଛି। ତେଣେ ଆମେରିକାରେ ବି ଏହି ରୋଗ ୬୦ଜଣଙ୍କ ପ୍ରାଣ ନେଇସାରିଲାଣି ଓ ଚାରି ହଜାର ସଂକ୍ରମିତ ହୋଇପଡିଛନ୍ତି। ଉଦବେଗର ବିଷୟ ହେଉଛି ଇଟାଲୀରେ କରୋନା ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ସେହି ଦେଶରେ ପ୍ରାୟ ୧୬୦୦ ଲୋକ ମରିସାରିଲେଣି ଓ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାରରେ ପହଞ୍ଚିଛି। ଏହି ସବୁ ତଥ୍ୟରୁ ସ୍ପଷ୍ଟ ଜଣାପଡିବ ଭାରତ ଏହି ରୋଗରୁ ନିଜକୁ ମୁକ୍ତ ରଖିବା କ୍ଷେତ୍ରରେ କିଭଳି ପ୍ରସ୍ତୁତ କରିପାରିଛି। ଅନ୍ୟ ଅର୍ଥରେ କହିଲେ, କରୋନା ମୁକାବିଲାରେ ଚୀନ ଓ ଆମେରିକା ଭଳି ଶକ୍ତିଶାଳୀ ଦେଶକୁ ବି ଭାରତ ପଛରେ ପକାଇ ଦେଇଛି।ଏୟାରପୋର୍ଟ ସ୍କ୍ରିନିଂ

ପ୍ରଥମରୁ ହିଁ ଭାରତ ବିଦେଶରୁ ଆସିଥିବା ଓ ଫେରୁଥିବା  ଲୋକଙ୍କୁ ବିମାନ ବନ୍ଦରରେ ଯାଞ୍ଚ କରିବା ଆରମ୍ଭ କରଦେଇିଥିଲା। ଜାନୁଆରୀ ୨୨ ତାରିଖରୁ ହିଁ ସବୁ ଆନ୍ତର୍ଜାତିକ ବିମାନ ବନ୍ଦରରେ ସ୍କ୍ରିନିଂ ଆରମ୍ଭ କରିଦିଆଯାଇଥିଲା। ହେଲେ ଆମେରିକା ଜାନୁଆରୀ ୨୫ରୁ ଯାଇ ଏହା ଆରମ୍ଭ କରିଥିଲା।

ଉଦ୍ଧାର କାର୍ଯ୍ୟ

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଦେଶରେ ଫସି ରହିଥିବା ଯାତ୍ରୀ ମାନଙ୍କୁ ଫେରାଇ ଆଣିବା ପାଇଁ ଭାରତ ସବୁଠୁ ଅଧିକ ବିମାନ ପଠାଇଥିଲା। ଫଳରେ ଇଟାଲୀ, ଇରାନ,ଚୀନ ଆଦି ଦେଶ ମାନଙ୍କରେ ହଜାର ହଜାର ଭାରତୀୟ ଲୋକଙ୍କୁ ଉଦ୍ଧାର କରାଯାଇ ସ୍ୱଦେଶକୁ ଫେରାଇ ଅଣାଯାଇଥିଲା।

ବିଦେଶୀଙ୍କୁ ଫାଇଦା

କରୋନା କବଳିତ ଦେଶ ମାନଙ୍କରୁ କେବଳ ‘ଭାରତ’ର ଲୋକଙ୍କୁ ଉଦ୍ଧାର କରାଯାଇଥିଲା ତାହା ନୁହେଁ ଅନ୍ୟ ଦେଶର ଲୋକଙ୍କୁ ବି ସ୍ଥାନାନ୍ତର କରାଯାଇଥିଲା। ଆମେରିକା ଭଳି ବଡ଼ ଦେଶ କେବଳ ନିଜ ଲୋକଙ୍କ ପାଇଁ ଚିନ୍ତିତ ଥିବା ବେଳେ ଭାରତ ନିଜ ଦେଶର ନାଗରିକଙ୍କ ବ୍ୟତୀତ ଅନ୍ୟ ଦଶଟି ଦେଶର ଲୋକଙ୍କୁ ବିଷମ ପରିସ୍ଥିତିରୁ ବାହାର କରିଥିଲା। ଏହି ଦେଶ ଭିତରେ ରହିଛି ମାଳଦୀପ,ମିଆଁମାର,ବଙ୍ଗଳାଦେଶ, ଚୀନ, ଆମେରିକା,ମାଡ଼ାଗାସ୍କାର,ନେପାଳ,ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା। ଏପରିକି ଭାରତ ପଡୋଶୀ ପାକିସ୍ତାନର ଲୋକଙ୍କୁ ଆଣିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲା।

ଠିକ ସମୟରେ ଆଇସୋଲେସନ

ମୂଳରୁ ହିଁ ଭାରତ ସରକାରଙ୍କ ପକ୍ଷରୁ ଆଇସୋଲେସନ କ୍ୟାମ୍ପ ସ୍ଥାପନ କରି ଦିଆଯାଇଥିଲା ଯାହା ଫଳରେ କି ବିଦେଶରୁ ଆସିଥିବା ଲୋକଙ୍କ ଠାରୁ ସ୍ଥାନୀୟ ଲୋକଙ୍କ ପାଖରେ ଭୂତାଣୁ ପହଞ୍ଚି ପାରିନଥିଲା। ଭାରତର ଏହି ସବୁ ପଦକ୍ଷେପ ଏତେ ନିର୍ଭୁଲ ଥିଲା ଯେ କୌଣସି ଦେଶ ବା ସଂସ୍ଥା ଭାରତକୁ ଆଙ୍ଗୁଠି  ଦେଖାଇବାର ସାହସ କରିନାହାନ୍ତି।

Comment