ଓଡ଼ିଶାଲାଇଭ୍ ବ୍ୟୁରୋ

ମାର୍ଚ୍ଚ ୧୬ ତାରିଖରେ ମଧ୍ୟପ୍ରଦେଶ ବିଧାନସଭାରେ ଫ୍ଲୋର୍ ଟେଷ୍ଟର ସମ୍ମୁଖୀନ ହେବେ ମୁଖ୍ୟମନ୍ତ୍ରୀ କମଳନାଥ। ଏହିଦିନ ବିଧାନସଭାର ଅଧିବେଶନ ଆରମ୍ଭ ହେଉଥିବାବେଳେ ପ୍ରଥମ ଦିନରେ ହିଁ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ଫ୍ଲୋର୍ ଟେଷ୍ଟ ଦେବାକୁ ପଡ଼ିବ। ଏନେଇ ମଧ୍ୟପ୍ରଦେଶର ରାଜ୍ୟପାଳ ଲାଲଜୀ ଟଣ୍ଡନ ତାଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି।

ରାଜ୍ୟପାଳ ଲାଲଜୀ ଟଣ୍ଡନ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ଲେଖିଛନ୍ତି ଯେ, ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ବିଧାନସଭାର ଅଧିବେଶନ ଆରମ୍ଭ ହେଉଛି। ଏହିଦିନ ସେ ଭାଷଣ ଦେବା ପରେ ତୁରନ୍ତ ମୁଖ୍ୟମନ୍ତ୍ରୀ କମଳନାଥ ବିଧାନସଭାରେ ଫ୍ଲୋର୍ ଟେଷ୍ଟ ଦେବେ। ତାଙ୍କୁ ଆଶଙ୍କା ରହିଛି ଯେ କମଳନାଥଙ୍କ ସରକାର ଏବେ ନିଜର ସଂଖ୍ୟାଗରିଷ୍ଠତା ହରାଇ ବସିଛି। ତେଣୁ ଏହି ଫ୍ଲୋର୍ ଟେଷ୍ଟ କରିବାକୁ ସେ ନିର୍ଦ୍ଦେଶ ଦେଉଛନ୍ତି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।କମଳନାଥଙ୍କୁ ନିଜର ସରକାର ବଞ୍ଚାଇବାକୁ ହେଲେ ବିଧାନସଭାର ଏହି ଫ୍ଲୋର୍ ଟେଷ୍ଟରେ ପାସ୍ ହେବାକୁ ପଡ଼ିବ। ନଚେତ୍ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। କମଳନାଥଙ୍କୁ ମୁଖ୍ୟମନ୍ତ୍ରୀ ଗାଦି ବଜାୟ ରଖିବାକୁ ହେଲେ ଏହି ଟେଷ୍ଟରେ ପାସ୍ ହେବାକୁ ପଡ଼ିବ।

ମଧ୍ୟପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ଦେବା ପରେ ତାଙ୍କ ଗୋଷ୍ଠୀର ବିଧାୟକମାନେ ମଧ୍ୟ ବିଧାୟକ ପଦରୁ ଇସ୍ତଫା ଦେଇ ଦେଇଥିଲେ। ଏକାସାଙ୍ଗରେ ୨୨ ଜଣ ବିଧାୟକ ତାଙ୍କର ଇସ୍ତଫା ପତ୍ର ବାଚସ୍ପତିଙ୍କ ପାଖକୁ ପଠାଇଦେଇଥିଲେ। ଯେଉଁ କାରଣରୁ ମଧ୍ୟପ୍ରଦେଶ ସରକାରରେ ଏକ ବଡ଼ ପରିବର୍ତ୍ତନ ହେବା ନେଇ ଆଶଙ୍କା କରାଯାଉଛି। ଏପରି ହେଲେ କଂଗ୍ରେସକୁ ମାତ୍ ଦେଇ ବିଜେପି ପୁଣିଥରେ ମଧ୍ୟପ୍ରଦେଶରେ ସରକାର ଗଠନ କରିବ।

Comment