ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ଆଜି ବିଧାନସଭାରେ ଅଗ୍ନିପରୀକ୍ଷା ଦେବେ। ରାଜ୍ୟର ଶାସନଗାଦିରେ ବସି ରହିବାକୁ ସୋମବାର ବିଧାନସଭାରେ ହେବାକୁ ଥିବା ଫ୍ଲୋର୍ ଟେଷ୍ଟରେ କମଳନାଥଙ୍କୁ ପାସ୍ ହେବାକୁ ପଡ଼ିବ।

ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନ ଏନେଇ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ଚିଠି ଲେଖି ଜଣାଇସାରିଛନ୍ତି। ସୋମବାରଠାରୁ ମଧ୍ୟପ୍ରଦେଶ ବିଧାନସଭାର ଅଧିବେଶନ ଆରମ୍ଭ ହେଉଛି। ଆଜି ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କ ଅଭିଭାଷଣ ସହିତ ଅଧିବେଶନ ଆରମ୍ଭ ହେବ। ଏହାପରେ ତୁରନ୍ତ କମଳନାଥଙ୍କ ଫ୍ଲୋର୍ ଟେଷ୍ଟ କରାଯିବ।

ରାଜ୍ୟର ସରକାରରେ ରହିବାକୁ ହେଲେ ଏହି ଫ୍ଲୋର୍ ଟେଷ୍ଟରେ ପାସ୍ ହେବା କମଳନାଥଙ୍କ ପାଇଁ ନିହାତି ଆବଶ୍ୟକ। ଯାହା ଏବେ ତାଙ୍କ ପାଇଁ କଷ୍ଟକର ହେବ ବୋଲି କୁହାଯାଉଛି।

ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବା ପରେ ତାଙ୍କ ସମର୍ଥିତ ୨୨ଜଣ ବିଧାୟକ ତାଙ୍କର ଇସ୍ତଫା ପତ୍ର ବାଚସ୍ପତିଙ୍କ ପାଖକୁ ପଠାଇଦେଇଛନ୍ତି। ଫଳରେ କମଳନାଥଙ୍କ ସରକାର ଏବେ ନିଜର ସଂଖ୍ୟାଗରିଷ୍ଠତା ହରାଇ ବସିଛି। ଏପରି ପରିସ୍ଥିତିରେ ଏବେ ବିଜେପି ପାଇଁ ରାଜ୍ୟରେ ସରକାର ଗଠନ କରିବା ସହଜ ହୋଇଯାଇଛି। ୨୨୮ ସିଟରୁ ୨୨ ଜଣ ବିଧାୟକଙ୍କୁ ବାଦ୍ ଦେଲେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୧୦୪କୁ ଖସି ଆସିବ। ବିଜେପି ପାଖରେ ଏବେ ୧୦୭ ବିଧାୟକ ଅଛନ୍ତି। କଂଗ୍ରେସ କିନ୍ତୁ ମ୍ୟାଜିକ ନମ୍ବରରୁ ବହୁ ପଛରେ ରହିଛି। ତେଣୁ କମଳନାଥ ଫ୍ଲୋର୍ ଟେଷ୍ଟରେ ପାସ୍ ହେଉଛନ୍ତି କି ନାହିଁ ତାହା ଏବେ ଦେଖିବା ବାକି ରହିଲା।

Comment