ଓଡ଼ିଶାଲାଇଭ୍ ବ୍ୟୁରୋ

ସବୁ ଛକ, ବଜାରରେ ପୋଲିସ୍‌ ବ୍ୟାରିକେଡିଂ।

କଟକ: ‘କରୋନା ହାରିବ, ମଣିଷ ଜିତିବ’। ଏହି ଲକ୍ଷ୍ୟ ନେଇ ୧୪ ଘଣ୍ଟାର ଜନତା କର୍ଫ୍ୟୁ ଆହ୍ଵାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି କଟକ ସହରବାସୀ ସଫଳ କରାଇଛନ୍ତି। ସକାଳୁ କର୍ଫ୍ୟୁ ର ପ୍ରକୃତ ଚିତ୍ର ଦିଶିଥିଲା। ରାସ୍ତାଘାଟ, ଦୋକାନ ବଜାର, ବସ୍‌ଷ୍ଟାଣ୍ଡ୍, ରେଳ ଷ୍ଟେସନ୍ ଆଦି ଜନଗହଳିପୂର୍ଣ୍ଣ ସ୍ଥାନଗୁଡିକରେ ଦେଖିବାକୁ ମିଳିଥିଲା ଅସମ୍ଭବ ନୀରବତା।

ସବୁଆଡେ ଥିଲା ନିଃଶବ୍ଦ ଓ ନିରବତା। ନା ଥିଲା ଗାଡ଼ିମୋଟରର ବିକଟାଳ ଶବ୍ଦ ନା ଥିଲା କୋଳାହଳ। ସବୁଠି ଖାଁ ଖାଁ ପରିବେଶ। ରାସ୍ତା, ବଜାରଘାଟ ସବୁଠି ଥିଲା ଶୂନଶାନ୍। କେହି କାହାରିକୁ ଅବରୋଧ କରୁନଥିଲେ, ବରଂ ସ୍ୱତଃପ୍ରବୃତ ଭାବେ ‘ଜନତା କର୍ଫ୍ୟୁ’କୁ ମିଳିଥିଲା ଅଭୁତପୂର୍ବ ସମର୍ଥନ।

ମହାମାରୀ କରୋନାକୁ ହରାଇବା ପାଇଁ ସଚେତନ ନାଗରିକ କର୍ତ୍ତବ୍ୟ ନିର୍ବାହ କରିଥିଲେ ସହରବାସୀ। ସାମାଜିକ ଦୂରତ୍ୱର ଗୁରୁତ୍ୱକୁ ବୁଝି ଦିନ ତମାମ୍ ଘରେ ରହି କର୍ଫ୍ୟୁରେ ସହଯୋଗ କରିଥିଲେ।

ଜନତା କର୍ଫ୍ୟୁକୁ ନେଇ ପୂର୍ବରୁ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଥିଲା। ଆଜି ସହରର ମୁଖ୍ୟ ବଜାରଘାଟ ଯେମିତି ମାଲଗୋଦାମ, ଛତ୍ରବଜାର, ଚୌଧୁରୀ ବଜାର, ନନ୍ଦି ସାହି, ପିଠାପୁର ଆଦି ସମସ୍ତ ବ୍ୟବସାୟୀ ଏବଂ ବ୍ୟବସାୟୀ ସଂଘ ତରଫରୁ ଦୋକାନବଜାର ବନ୍ଦ ରଖାଯିବ ବୋଲି କୁହାଯାଇଥିଲା।

ଯାହାଫଳରେ ଗତକାଲି ରାତିରୁ ସମସ୍ତ ପ୍ରକାରର ଅତ୍ୟାବଶକ ସାମଗ୍ରୀ କିଣି ନେଇଥିଲେ ଲୋକେ। କରୋନା ପାଇଁ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହାଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଚଢାମଢା କିଣାକିଣି ଯୋଗୁଁ ସନ୍ଧ୍ୟା ପୂର୍ବରୁ ପରିବା ବଜାରରୁ ମାଲ୍ ଶେଷ ହୋଇଯାଇଥିଲା।

ସେହିପରି ଗ୍ରୋସରୀ ଦୋକାନରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଗତକାଲି ଠାରୁ ପୋଲିସ୍ ଦୋକାନ ବଜାର ବନ୍ଦ କରିବା ପାଇଁ ଫତୁଆ ଜାରି କରିଦେଇଥିଲା। ବିଭିନ୍ନ ବଜାରଘାଟ ଯାଇ ଦୋକାନ ବଜାର ବନ୍ଦ କରିଥିଲା ପୋଲିସ୍। ଯାହାଫଳରେ ସନ୍ଧ୍ୟା ହେବା ପୂର୍ବରୁ ସହରର ପ୍ରମୁଖ ବଜାରଗୁଡିକ ଖାଲି ହୋଇଯାଇଥିଲା। ଆଜି ସକାଳୁ ଜନତା କର୍ଫ୍ୟୁ ନେଇ ଲୋକେ ଘରୁ ବାହାରିନଥିଲେ।

ତା’ଛଡ଼ା କଟକ ଲକଡାଉନ୍ ଘୋଷଣା ହେବା ପରେ ଆଇନ ଶୃଙ୍ଖଳା ସ୍ଥିତିକୁ ମୁକାବିଲା କରିବାକୁ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା। କାଁ ଭାଁ ଗଳିକନ୍ଦିରେ ଯେଉଁଠି ଦୋକାନ ଖୋଲାଥିଲା ସେଠି ପୋଲିସ୍ ଅପହଞ୍ଚ ବ୍ୟବସା ୟୀଙ୍କୁ ଦୋକାନ ବନ୍ଦ କରିବାକୁ କହିଥିଲା।

ସକାଳ ୯ଟା ସୁଦ୍ଧା କଟକ ସହର ଏକଦମ୍ ନିରବି ଯାଇଥିଲା। ସବୁ ଛକ, ବଜାର ଏବଂ ମୁଖ୍ୟରାସ୍ତା ମାନଙ୍କରେ ପୋଲିସ୍ ବ୍ୟାରିକେଡିଂ କରି ଚେକିଂ କରିଥିଲା। ସ୍ୱାସ୍ଥ୍ୟକର୍ମୀ, ରୋଗୀ ଏବଂ ଗଣମାଧ୍ୟମ ଛାଡ଼ି ଅନ୍ୟ କାହାରିକୁ ଛଡ଼ାଯାଇଥିଲା। ରାସ୍ତା ଉପରେ ସଂଘବଦ୍ଧ ଭାବେ ଛିଡ଼ା ହୋଇ ଗପସପ କରିବାକୁ କାହାରିକୁ ସୁଯୋଗ ଦେଇନଥିଲା ପୋଲିସ୍। ଗଳିକନ୍ଦି ସବୁଠି ଛାପା ମାରି ପୋଲିସ୍ ଲୋକଙ୍କୁ ବୁଝାଇସୁଝାଇ ଘରକୁ ପଠାଇଥିଲା। ଆବଶ୍ୟକସ୍ଥଳେ ଘଉଡାଇଥିଲା।  ସାଇରନ୍ ବଜାଇ ଲୋକଙ୍କୁ ଘରୁ ନବାହରିବା ପାଇଁ ବି କରାଯାଉଥିଲା ସଚେତନତା। ଯାହାଫଳରେ ଦିନ ତମାମ୍ କଟକ ସହରରେ କର୍ଫ୍ୟୁ ବଳବତ୍ତର ରହିଥିଲା।

ବସ୍‌ ଷ୍ଟାଣ୍ଡ ଗୋଟିଏ ବି ଗାଡ଼ି ଗଡ଼ିନଥିଲା। ବାଦାମବାଡ଼ି, ପୁରୀ ଓ ଅନୁଗୁଳ ବସଷ୍ଟାଣ୍ଡ ସବୁ ଗାଡ଼ି ଛିଡ଼ା ହୋଇରହିଥିଲା। ସେହିପରି ସହରରେ ଚଳପ୍ରଚଳ ପ୍ରାୟ ୫ହଜାର ଅଟୋର ଚକାଜାମ୍ ହୋଇଥିଲା।

କେବଳ ଆମ୍ବୁଲାନ୍ସ ଛାଡ଼ି ଅନ୍ୟ କାହାରିକୁ ରାସ୍ତାରେ ଯାଆସ କରିବାକୁ ସୁଯୋଗ ଦିଆଯାଇନଥିଲା। କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ ନେତୃତ୍ୱରେ ୩ଜଣ ଏଡିସିପି, ୧୦ଜଣ ଏସିପି, ୨୫ଜଣ ଇନ୍ସପେକ୍ଟର, ୮୦ଜଣ ଏସ୍ଆଇ ଓ ଏଏସ୍ଆଇ ସମେତ ୧୫ ପ୍ଲାଟୁନ୍ ଫୋର୍ସ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିଥିଲେ।

Comment