ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛତିଶଗଡ଼ ସୁକମାଠାରେ ଶନିବାର ନକ୍ସଲ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟରେ ୧୭ ଯବାନ ସହିଦ ହୋଇଛନ୍ତି। ଶନିବାର ରାତିରେ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଅନ୍ୟ ୧୩ ଜଣ ଯବାନ ନିଖୋଜ ଥିଲେ। ସେମାନଙ୍କୁ ଖୋଜାଖୋଜି କରିବା ପରେ ଆଜି ୧୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସହିଦ ଯବାନଙ୍କ ମଧ୍ୟରୁ ୧୨ ଜଣ ଡିଆର୍‌ଜିର ହୋଇଥିଲା ବେଳେ ୫ ଜଣ ଏସ୍‌ଟିଏଫ୍‌ର ବୋଲି ଜଣାପଡ଼ିଛି।

ଏହି ଏନ୍‌କାଉଣ୍ଟର ପରେ ନକ୍ସଲମାନେ ୧୨ଟି ଏକ୍‌-୪୭ ସହ ୧୫ଟି ଅସ୍ତ୍ର ଲୁଟି ନେଇଛନ୍ତି। ଏନେଇ ବସ୍ତର ଆଇଜି ପି ସୁନ୍ଦରରାଜ ସୂଚନା ଦେଇଛନ୍ତି।

ଛତିଶଗଡ଼ କସଲପାଡ଼ ଅଞ୍ଚଳରେ ବହୁ ସଂଖ୍ୟକ ନକ୍ସଲ ଥିବା ଖବର ପାଇଥିଲେ ସୁରକ୍ଷାକର୍ମୀ। ଡର୍ନାପାଲରୁ ଡିଆର୍‌ଜି, ଏସ୍‌ଟିଏଫ୍‌ ଓ କୋବ୍ରାର ୫୫୦ ଜଣ ଯବାନଙ୍କୁ ପଠାଯାଇଥିଲା। ଯବାନମାନେ ଆସୁଥିବାର ଖବର ପାଇବା ପରେ ସତର୍କ ହୋଇଯାଇଥିଲେ ନକ୍ସଲ। ଏହାପରେ ନକ୍ସଲମାନେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର କରିଥିଲେ।

ଯବାନମାନେ ନକ୍ସଲମାନଙ୍କୁ ଠିକଣାରେ ନପାଇ ସେଠାରୁ ଫେରିବା ଆରମ୍ଭ କରିଥିଲେ। ସେହି ସମୟରେ କୋରଜଗୁଡ଼ା ପାହାଡ଼ ନିକଟରେ ଲୁଚି ରହିଥିବା ନକ୍ସମାନେ ହଠାତ ଯବାନମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ପରେ ଯବାନମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ପରେ ନକ୍ସଲମାନେ ସେଠାରୁ ଚାଲିଯାଇଥିଲେ।

ଏହି ଗୁଳି ବିନିମୟରେ ୪ ଜଣ ଯବାନ ସହିଦ ହୋଇଥିଲା ବେଳେ ୧୪ ଜଣ ଆହତ ହୋଇଥିଲେ। ପରେ ଯବାନମାନେ ସେଠାରୁ ପଳାଇ ଆସିଥିଲେ। ପରେ ଜଣାପଡ଼ିଥିଲା ଯେ ଆହୁରି ୧୩ ଜଣ ଯବାନ ନିଖୋଜ ଅଛନ୍ତି। ସକାଳେ ଖୋଜା ଖୋଜି କରିବା ପରେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

Comment