ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ପାଇଁ ଦିଲ୍ଲୀରେ ଲାଗୁ ହେଲା କଟକଣା। ଆଜିଠୁ ରାଜଧାନୀ ଦିଲ୍ଲୀରେ କର୍ଫ୍ୟୁ ଲାଗୁ ହୋଇଛି। ଲୋକମାନଙ୍କୁ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଉଛି। କେବଳ ଜରୁରୀକାମ ପାଇଁ ଲୋକମାନେ ବାହାରକୁ ବାହାରି ପାରିବେ। ଏହାସହ ଦିଲ୍ଲୀରେ କାର୍ଯ୍ୟରତ ନିର୍ମାଣ ଶ୍ରମିକଙ୍କୁ ୫ହଜାର ଟଙ୍କା ଲେଖାଁଏ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ।

କରୋନା ମୁକାବିଲା ପାଇଁ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ସାମ୍ଵାଦିକ ସମ୍ମିଳନୀ କରି କହିଛନ୍ତି ଯେ ଦିଲ୍ଲୀରେ କରୋନା ଭାଇରସ୍‌ ରୋଗୀ ସଂଖ୍ୟାରେ ହ୍ରାସ ପାଇଛି। ଏହା ଏକ ଭଲ ଖବର, କିନ୍ତୁ ଆମେ ବର୍ତ୍ତମାନ ଖୁସି ହେବା ଉଚିତ୍‌ ନୁହେଁ। କରୋନା ବିରୋଧରେ ଲଢ଼େଇ ଆହୁରି ବାକି ଅଛି। ଯେ କୌଣସି ସମୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ। ଆମକୁ ସତର୍କ ରହିବାକୁ ହେବ।

ବର୍ତ୍ତମାନ ୪୦ ଘଣ୍ଟା ମଧ୍ୟରେ କୌଣସି ପିଜିଟିଭ୍‌ ରିପୋର୍ଟ ଦିଲ୍ଲୀରେ ନାହିଁ। ୩୦ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଛନ୍ତି। ବର୍ତ୍ତମାନ ଦିଲ୍ଲୀରେ ୨୩ ରୋଗୀ ଅଛନ୍ତି। କରୋନା ଭାଇରସ୍‌ ବିଷୟରେ ସଚେତନ ପାଇଁ ଆମେ ଗୋଟେ ୫ ଜଣିଆ ଟିମ୍‌ ଗଠନ କରିଛୁ ବୋଲି କହିଛନ୍ତି କେଜରିଓ୍ଵାଲ।

କେଜରିଓ୍ଵାଲ ଆହୁରି ମଧ୍ୟ କହିଛନ୍ତି, “ଦିଲ୍ଲୀରେ ଅନେକ ଦିନ ମଜୁରିଆ ଅଛନ୍ତି, ଯେଉଁମାନେ ଭଡ଼ା ଘରେ ରହୁଛନ୍ତି। ଯଦି ସେମାନେ ନିଜ ଘର ମାଲିକଙ୍କୁ ଭଡ଼ା ଦେବା ସ୍ଥିତିରେ ନାହାନ୍ତି। ତେବେ ତାଙ୍କୁ ୨/୩ ମାସ ରିହାତି ଦେବା ଆବଶ୍ୟକ। ମୁଁ ନିଶ୍ଚିମ ଯେ ଆମେ ଏ ସଙ୍କଟକୁ ସଫଳତାର ସହ ମୁକାବିଲା କରିପାରିବା।”

ବର୍ତ୍ତମାନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୪୫୦ରୁ ଅଧିକ ହୋଇଛି। ଏହାସହ ୯ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇସାରିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। କେବଳ ଭାରତ ସରକାର ନୁହେଁ ବିଭିନ୍ନ ରାଜ୍ୟର ରାଜ୍ୟ ସରକାର ମଧ୍ୟ କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି।

Comment