ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଜରୁରୀ ସେବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ।

କରୋନା କଣ୍ଟ୍ରୋଲ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଦୁଇ ପାଦ ଆଗକୁ ବଢ଼ିଛନ୍ତି। ସାରା ଦେଶରେ ୨୧ ଦିନିଆ ‘ଲକ୍‌ଡାଉନ୍‌’ ଘୋଷଣା କରିଛନ୍ତି। ଏହି ‘ଲକ୍‌ଡାଉନ୍‌’ ବେଳେ କେହି ବାହାରକୁ ନବାହାରିବାକୁ ମୋଦୀ ପରାମର୍ଶ ଦେଇଛନ୍ତି। ତେବେ ଏହି ‘ଲକ୍‌ଡାଉନ୍‌’ ବେଳେ କ’ଣ ଖୋଲା ରହିବ ଏବଂ କ’ଣ ବନ୍ଦ ରହିବ ସେ ବିଷୟରେ ଜାଣନ୍ତୁ:

କ’ଣ ଖୋଲା ରହିବ?

ପ୍ରତିରକ୍ଷା, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ, ଟ୍ରେଜେରୀ, ପେଟ୍ରୋଲ ଟାଙ୍କି, ଗ୍ୟାସ୍‌ ଗୋଦାମ, ବିପର୍ଯ୍ୟୟ ପରିଚାଳନା, ବିଦ୍ୟୁତ ଶକ୍ତି କାର୍ଯ୍ୟାଳୟ, ପୋଷ୍ଟ ଅଫିସ୍‌ ଆଦି ଖୋଲା ରହିବ।

ପୋଲିସ, ହୋମଗାର୍ଡ, ଅଗ୍ନିଶମ ସେବା, ଜେଲ୍‌, ଜିଲ୍ଲା ପ୍ରଶାସନ ଏବଂ ଟ୍ରେଜେରୀ, ଜଳ ଯୋଗାଣ, ପରିମଳ କାର୍ଯ୍ୟାଳୟ ଖୋଲା ରହିବ। ଏହା ପୌର ପରିଷଦର ଜରୁରୀ ସେବାରେ ନିୟୋଜିତ କର୍ମଚାରୀ ଆସିପାରିବେ।

ଉଭୟ ସରକାରୀ ଏବଂ ଘରୋଇ ହସ୍ପିଟାଲ, ଲବାରୋଟେରୀ, ଔଷଧ ଦୋକାନ ଆଦି ଖୋଲା ରହିବ। ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଉପରେ କୌଣସି କଟକଣା ନାହିଁ।

ସେହିପରି ବିଭିନ୍ନ ଗଣମାଧ୍ୟମ ସଂସ୍ଥା ମଧ୍ୟ ଖୋଲା ରହିବ। ଏହା ଉପରେ କୌଣସି କଟକଣା ଲଗାଯାଇନାହିଁ। ଦେଶବାସୀଙ୍କୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ଗଣମାଧ୍ୟମ ପ୍ରତିନିଧିଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ଗ୍ରୋସରୀ ଦୋକାନ, ପରିବା ଓ ଫଳ ଦୋକାନ, କ୍ଷୀର ଦୋକାନ ମଧ୍ୟ ଖୋଲା ରହିବ। ଇଣ୍ଟରନେଟ୍ ସେବା ମଧ୍ୟ ଜାରି ରହିବ। ବ୍ୟାଙ୍କ, ବୀମା ଓ ଏଟିଏମ୍‌ ବି ଖୋଲା ରହିବ। ଇ-କମର୍ସ ବ୍ୟବସାୟ ଉପରେ ମଧ୍ୟ କୌଣସି ପ୍ରତିବନ୍ଧକ ନାହିଁ।

କ’ଣ ବନ୍ଦ ରହିବ?

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ଅଫିସ ବନ୍ଦ ରହିବ। ଯେଉଁମାନେ ଜରୁରୀ ସେବା ସହ ଜଡ଼ିତ ସେମାନେ କେବଳ ଆସିପାରିବେ। ଏହାସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଅନୁବନ୍ଧିତ ସଂସ୍ଥା ମଧ୍ୟ ବନ୍ଦ ରହିବ। ବିଭିନ୍ନ ବାଣିଜ୍ୟିକ ଏବଂ ଘରୋଇ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ। ବିଭିନ୍ନ ଶିଳ୍ପ ସଂସ୍ଥା ବନ୍ଦ ରହିବା ସହ ପରିବହନ ସେବା ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ନେବା ଆଣିବାରେ ନିୟୋଜିତ ଗାଡ଼ି ଉପରେ କୌଣସି କଟକଣା ନାହିଁ।

ବିଭିନ୍ନ ହୋଟେଲ, ଯାତ୍ରୀନିବାସ, ଏବଂ ପର୍ଯ୍ୟଟନ ଶିଳ୍ପ ସହ ଯେଉଁ ସଂସ୍ଥା ଜଡ଼ିତ ସେସବୁ ବନ୍ଦ ରହିବ। ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ। ବିଭିନ୍ନ ଧାର୍ମିକସ୍ଥଳ ବନ୍ଦ ରହିବ।

ସାମାଜିକ, ରାଜନୀତିକ ସଭା ସମିତି ବାତଲ କରାଯାଇଥିବା ବେଳେ ସାଂସ୍କୃତି କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ବିଭିନ୍ନ କ୍ରୀଡ଼ା ଆୟୋଜନକୁ କେନ୍ଦ୍ର ସରକାର ନା କହିଛନ୍ତି।

Comment