ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସାରା ଦେଶ ଆଜିଠୁ ‘ଲକ୍‌ଡାଉନ୍‌’ ହୋଇଯାଇଛି। ୨୧ ଦିନ ଯାଏଁ ଘରୁ ନବାହାରିବାକୁ ମୋଦୀ ଜନସାଧାରଣଙ୍କୁ ଅପିଲ୍‌ କରିଛନ୍ତି। ହେଲେ କିଛି ଅମାନିଆ ଯୁବକ ନିୟମ ମାନୁ ନଥିବା ଦେଖିବାକୁ ମିଳିଛି। ଏମାନଙ୍କୁ ସାବାଡ୍‌ କରିବା ପାଇଁ କମିସନରେଟ୍‌ ପୋଲିସ ନୂଆ ଫର୍ମୁଲା ଆପଣାଇଛି।

ଯେଉଁ ଯୁବକମାନେ ନିୟମ ମାନୁ ନାହାନ୍ତି ସେମାନଙ୍କୁ ଧରି ରାଜରାସ୍ତାରେ ‘ଉଠ୍‌ବସ୍‌’ କରୁଛି କମିସନରେଟ୍‌ ପୋଲିସ। ଭୁବନେଶ୍ୱରରେ ଆଜି ଏମିତି କିଛି ଚିତ୍ର ସାମ୍ନାକୁ ଆସିଛି। ଯେଉଁ ଯୁବକମାନେ ‘ଲକ୍‌ଡାଉନ୍‌’ ନିୟମ ନମାନି ବାଇକ ଧରି ରାଜଧାନୀ ରାଜରାସ୍ତାରେ ବୁଲୁଥିଲେ ସେମାନଙ୍କୁ ଧରି ଉଠ୍‌ବସ୍‌ କରିଥିଲା ପୋଲିସ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶକୁ ‘ଲକ୍‌ଡାଉନ୍‌’ ଘୋଷଣା କରିଥିବାରୁ ରାଜଧାନୀ ଭୁବନେଶ୍ୱରରେ ପୋଲିସ ଚେକିଂ କଡ଼ାକଡ଼ି ହୋଇଛି। ପ୍ରମୁଖ ଛକମାନଙ୍କରେ ବ୍ୟାରିକେଡ୍‌ ରଖି ପୋଲିସ ପହରା ଦେଉଛି। ସେହିପରି ବିଭିନ୍ନ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାକୁ ବାଉଁଶ ଏବଂ ଦଉଡ଼ି ବାନ୍ଧି ସିଲ୍‌ କରିଛି।

ଯେଉଁମାନେ ଜରୁରୀ କାମରେ ଘରୁ ବାହାରୁଛନ୍ତି ପୋଲିସ ହାବୁଡ଼ରେ ପଡ଼ିଲେ କଥା ସରିଲା। ପୋଲିସ ସେମାନଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚାରୁଛି। ଆବଶ୍ୟକ ପ୍ରମାଣପତ୍ର ଦେଖାଇଲେ ପୋଲିସ ଛାଡୁଛି, ନହେଲେ ଘରକୁ ବିଦା କରିଦେଉଛି।

ହେଲେ ଏସବୁ ଭିତରେ କଡ଼ା ନିୟମକୁ ଭାଙ୍ଗି କିଛି ଯୁବକ ବେପରୁଆ ଢଙ୍ଗରେ ଗାଡ଼ି ଧରି ବୁଲୁଥିଲେ। ଏମାନେ ପୋଲିସ ହାବୁଡ଼ରେ ପଡ଼ିଥିଲେ। ପୋଲିସ ତାଙ୍କୁ କାନଧରି ଉଠ୍‌ବସ୍‌ କରିବା ସହ ଘରୁ ନବାହାରିବାକୁ ତାଗିଦ କରିଥିଲା।

Comment