ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଏପ୍ରିଲ୍ ୧୫ଯାଏଁ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ। ସାରା ଦେଶ ଲକ୍‌ଡାଉନ୍ ଘୋଷଣା ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ହାଇକୋର୍ଟଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି।

ବିଜ୍ଞପ୍ତିରେ କୁହାଯାଇଛି ଯେ, କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ୨୧ ଦିନ ପାଇଁ ସାରା ଦେଶ ଲକ୍‌ଡାଉନ ଘୋଷଣା ହୋଇଛି। ଭାରତ ସରକାରଙ୍କ ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଇ ହାଇକୋର୍ଟ ଏବଂ ଏହାର କାର୍ଯ୍ୟାଳୟଗୁଡ଼ିକୁ ଏପ୍ରିଲ୍ ୧୫ ତାରିଖ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ଏହାପୂର୍ବରୁ ମାର୍ଚ୍ଚ ୩୧ତାରିଖ ଯାଏଁ ହାଇକୋର୍ଟରେ ସମସ୍ତ ଶୁଣାଣି ସ୍ଥଗିତ ରଖାଯାଇଥିଲା। ଏହାସହ ହାଇକୋର୍ଟ କର୍ମଚାରୀଙ୍କୁ ରୋଟେସନ ଭିତ୍ତିରେ କାର୍ଯ୍ୟାଳୟକୁ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

କରୋନା ଭାଇରସକୁ ରୋକିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଥିରେ ସମସ୍ତଙ୍କୁ ସହଯୋଗ କରିବାକୁ ନିବେଦନ କରାଯାଉଛି। ସାମାଜିକ ଦୂରତା ରକ୍ଷା କରିବାକୁ ଏହି ପଦକ୍ଷେପ ନିଆଯାଇଛି। ୨୧ ଦିନ ଯାଏଁ ଲକ୍‌ଡାଉନ ନିୟମ ପାଳିବାକୁ ନିବେଦନ କରାଯାଉଛି।

ବର୍ତ୍ତମାନ ସୁଦ୍ଧା ଦେଶରେ ୬୦୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନା ଆକ୍ରାନ୍ତଙ୍କୁ ନିକଟସ୍ତ ମେଡିକାଲର ଆଇସୋଲେସନ ଓ୍ଵାର୍ଡରେ ରଖି ଚିକିତ୍ସା କରାଯାଉଛି।

Comment