ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଲକଡାଉନ୍ ସମୟରେ ଟୁଇନ୍ ସିଟିରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକ ୨୪ ଘଣ୍ଟା ଖୋଲା ରହିପାରିବ। ଦୋକାନଗୁଡ଼ିକର ଖୋଲିବା ଓ ବନ୍ଦ କରିବା ଉପରେ କୌଣସି କଟକଣା ନାହିଁ। ଏନେଇ ପୋଲିସ୍ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ୍ କରି ସୂଚନା ଦେଇଛନ୍ତି।

ସେ ଟୁଇଟ୍ କରି ଲେଖିଛନ୍ତି ଯେ, ଲକଡାଉନ୍ ସମୟରେ ମଧ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀଗୁଡ଼ିକ କଟକ ଓ ଭୁବନେଶ୍ୱରରେ ୨୪ ଘଣ୍ଟା ଖୋଲା ରହିପାରିବ। କିନ୍ତୁ ଜିନିଷ କିଣିବା ସମୟରେ ଯେଭଳି ଗହଳି ନହୁଏ ସେପ୍ରତି ମଧ୍ୟ ଧ୍ୟାନ ଦେବାକୁ ସେ କହିଛନ୍ତି।

ଏଥିସହିତ ଲୋକମାନେ ବାଇକ୍ ନେଇ ନିତ୍ୟବ୍ୟବହାର୍ଯ୍ୟ ଦୋକାନକୁ ନଆସନ୍ତୁ। କେବଳ ୧ କିଲୋମିଟର ଦୂରତା ମଧ୍ୟରେ ଥିବା ଦୋକାନକୁ ଜିନିଷ ପତ୍ର କିଣିବାକୁ ଯାଆନ୍ତୁ ବୋଲି ସେ କହିଛନ୍ତି। ଅଧିକ ଦୂର ହେଲେ ୧୦୦ ନମ୍ବର ଡାଏଲ୍ କରିବାକୁ ପୋଲିସ୍ କମିସନର ଟୁଇଟ୍ କରି ସୂଚନା ଦେଇଛନ୍ତି।

କରୋନା କାରଣରୁ ଏବେ ସାରା ଦେଶରେ ଲକଡାଉନ୍ ଘୋଷଣା କରାଯାଇଛି। ଫଳରେ ଲୋକମାନେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପାଇବାରେ ନାନାଦି ଅସୁବିଧା ଭୋଗୁଛନ୍ତି।

Comment