ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଲକଡାଉନ୍ କାରଣରୁ ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି।

ଲକଡାଉନ୍ କାରଣରୁ ସାରା ଦେଶରେ ଗରିବ ଓ ଖଟିଖିଆ ଶ୍ରେଣୀର ଲୋକମାନେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଥିପାଇଁ ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା କରାଯାଇଛି। ଏହି ପ୍ୟାକେଜରେ ଲୋକମାନଙ୍କୁ ମାଗଣାରେ ଚାଉଳ, ଗହମ, ଡାଲି ସହିତ ଗ୍ୟାସ୍ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି।

ନିର୍ମଳା ସୀତାରମଣ ଏହି ଅବସରରେ ଘୋଷଣା କରିଛନ୍ତି ଯେ, ଦେଶର ୮୦ କୋଟି ଲୋକଙ୍କୁ ବିପିଏଲ୍ ସାହାଯ୍ୟରେ ୫ କିଲୋ ଅତିରିକ୍ତ ଚାଉଳ କିମ୍ବା ଗହମ ମାଗଣାରେ ଯୋଗାଇଦିଆଯିବ। ଏହାସହ ବିପିଏଲ୍ ଅନ୍ତର୍ଭୁକ୍ତ ସମସ୍ତ ପରିବାରକୁ ପ୍ରତି ମାସରେ ୧ କେଜି ଡାଲି ମଧ୍ୟ ସରକାର ମାଗଣାରେ ଯୋଗାଇ ଦେବେ। ଆଗାମୀ ତିନି ମାସ ପାଇଁ ଲୋକମାନଙ୍କୁ ଏହି ମାଗଣା ଚାଉଳ, ଗହମ ଓ ଡାଲି ଯୋଗାଇଦିଆଯିବ ବୋଲି ନିର୍ମଳା ତାଙ୍କର ଆର୍ଥିକ ପ୍ୟାକେଜରେ ଘୋଷଣା କରିଛନ୍ତି।

ସେହିଭଳି ଉଜ୍ଜଳା ଯୋଜନାରେ ଆଗାମୀ ତିନି ମାସ ପାଇଁ ଦେଶର ୮ କୋଟି ବିପିଏଲ୍ ପରିବାରକୁ ମାଗଣା ସିଲିଣ୍ଡର ଯୋଗାଇ ଦିଆଯିବ। ଏହାସହ ୨୦ କୋଟି ମହିଳା ଜନଧନ ଆକାଉଣ୍ଟକୁ ସରକାର ଆଗାମୀ ତିନି ମାସ ପାଇଁ ୫୦୦ ଟଙ୍କା ଲେଖାଏଁ ଦେବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।

କରୋନା କାରଣରୁ ସାରା ଦେଶରେ ପ୍ରଧାନମନ୍ତ୍ରୀ ମୋଦୀ ଲକଡାଉନ୍ ଘୋଷଣା କରିଛନ୍ତି। ତେଣୁ ଖଟିଖିଆ ଓ ଦିନ ମଜୁରିଆ ଶ୍ରେଣୀର ଲୋକମାନେ ଖାଇବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି।

Comment