ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ନିଜ ପରିବାରକୁ ନେଇ ଦିଲ୍ଲୀରୁ କୋଲକାତା ଯାଉଥିବା ରିକ୍ସା ଚାଳକଙ୍କ ଉପରେ ପୋଲିସ ସାଧିଲା ଦାଉ।

‘‘ଲୋକମାନେ କେହି ଘରୁ ବାହାରୁ ନାହାନ୍ତି। ଦିନକୁ ଯେତିକି ରୋଜଗାର ହେଉଥିଲା ଏବେ ସବୁ ବନ୍ଦ। ଦିଲ୍ଲୀରେ ରହିବା ପାଇଁ ନା ଆମର ଘର ଅଛି ନା କିଛି ଖାଇବାକୁ ମିଳୁଛି। ଏଣୁ ଆମେ ଆମ ଘରକୁ ଫେରୁଛୁ’’,ଏହା ହେଉଛି ପଶ୍ଚିମବଙ୍ଗର ପଞ୍ଚୁ ମଣ୍ଡଳ ଏବଂ ତାଙ୍କ ସାଙ୍ଗଙ୍କ କାହାଣୀ।

ପଞ୍ଚୁ ଏବଂ ତାଙ୍କ ସାଙ୍ଗ କଲିକତାରୁ ଆସି ଦିଲ୍ଲୀରେ ରିକ୍ସା ଚଳାଉଥିଲେ। ରିକ୍ସା ଚଳାଇ ଯାହା ରୋଜଗାର କରନ୍ତି ସେଥିରେ ସେମାନେ ନିଜ ଘର ଚଳାଇଥାନ୍ତି। ହେଲେ କରୋନା ପାଇଁ ସାରା ଦେଶ ଲକ୍‌ଡାଉନ୍‌ ହୋଇଥିବାରୁ ଏମାନଙ୍କ ରୋଜଗାରରେ ତାଲା ପଡ଼ିଯାଇଛି। ଲୋକ କେହି ଆସୁ ନାହାନ୍ତି। ଫଳରେ ପଞ୍ଚୁ ଏବଂ ତାଙ୍କ ସାଙ୍ଗ ରିକ୍ସା ଚଳାଇ ଦିଲ୍ଲୀରୁ ନିଜ ଘର ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରିଥିଲେ। ହେଲେ ଅକ୍ଷରଧାମ ନିକଟରେ ପୋଲିସ ତାଙ୍କ ଉପରେ ଦାଉ ସାଧିଲା।

ଗାଡ଼ି ମଟର ଚାଲୁ ନଥିବାରୁ ପଞ୍ଚୁ ଏବଂ ତାଙ୍କ ସାଙ୍ଗ ନିଜ ଛୁଆ ପିଲାଙ୍କୁ ଧରି ଗାଁକୁ ବାହାରିଥିଲେ। ଟ୍ରଲି ରିକ୍ସାରେ ଛୁଆ ପିଲାଙ୍କୁ ବସାଇ ପଞ୍ଚୁ ଓ ତାଙ୍କ ସାଙ୍ଗ ରିକ୍ସ ଟାଣି ଟାଣି କୋଲକାତା ବାହାରିଥିଲେ। ହେଲେ ଦିଲ୍ଲୀ ଅକ୍ଷରଧାମ ନିକଟରେ ପୋଲିସ ସେମାନଙ୍କ ଯାତ୍ରାରେ ବାଧା ଦେଇଥିଲା। ସେମାନଙ୍କୁ ଦିଲ୍ଲୀ ବହାରକୁ ଯିବାକୁ ଦେଇ ନଥିଲା।

ପୋଲିସକୁ ପଞ୍ଚୁ ଓ ତାଙ୍କ ସାଙ୍ଗ ନେହୁରା ହେଲେ। ଦିଲ୍ଲୀରେ ଆଉ କିଛିଦିନ ରିଲେ ସେମାନେ ଭୋକ ଉପାସରେ ମରିଯିବେ ବୋଲି କହିଥିଲେ। ହେଲେ ପୋଲିସ କିଛି ଶୁଣି ନଥିଲା। ସେମାନଙ୍କୁ ବାରକୁ ଯିବାକୁ ଦେଇ ନଥିଲା। ସ୍ୱତନ୍ତ୍ର ବସ୍‌ ଯୋଗେ ସେମାନଙ୍କୁ କୋଲକତା ଛଡ଼ାଯିବ ବୋଲି ପୋଲିସ କହିଥିଲା। ଶେଷରେ ନିଜ ମନକୁ ବୁଝାଇ ଅଧାବାଟରୁ ଫେରି ଆସିଥିଲେ ପଞ୍ଚୁ ଓ ତାଙ୍କ ସାଙ୍ଗ।

‘‘ଦିଲ୍ଲୀରେ କିଛି କାମ ମିଳୁନି। ରିକ୍ସା ବାହାର କରି ହେଉନି। ଲୋକମାନେ ସିନା ଆସିଲେ ଆମେ ଚଳିବୁ। ହେଲେ ଲକ୍‌ଡାଉନ୍‌ ଯୋର୍ଗୁ କେହି ଆସୁ ନାହାନ୍ତି। ଖାଇବା ପିଇବା ଅସୁବିଧା ହେଉଛି। ଏଣୁ ଆମେ ନିଜ ଘରକୁ ଯିବାକୁ ଚାହୁଁଥିଲୁ। ଦିଲ୍ଲୀରୁ କୋଲକାତା ରିକ୍ସାରେ ଯାଇଥିଲେ ୭ ଦିନ ଲାଗିଥାନ୍ତା। ହେଲେ ପୋଲିସ ଆମକୁ ଅଟକାଇଦେଲା। ଆମେ ଦିଲ୍ଲୀରେ କେମିତି ଚଳିବୁ?’’, କୋହଭରା ସ୍ୱରରେ ଏହା କହିଛନ୍ତି ରିକ୍ସା ଚଳାକ ପଞ୍ଚୁ।

ଲକ୍‌ଡାଉନ୍‌ ଯୋଗୁଁ ସାରା ଦେଶ ଠପ୍‌ ହୋଇଯାଇଛି। ଟ୍ରେନ୍‌, ବସ୍‌ ସବୁ ବନ୍ଦ। ଅଫିସ ଓ ବିଭିନ୍ନ କମ୍ପାନିରେ ତାଲା। ଲୋକେ କାମ ପାଉ ନାହାନ୍ତି। ଗରିବ ଶ୍ରେଣୀର ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ଉଦହାରଣ ହେଉଛନ୍ତି ରିକ୍ସା ଚାଳକ ପଞ୍ଚୁ ଓ ତାଙ୍କ ସାଙ୍ଗ। ଦିଲ୍ଲୀ ସହରରେ ଏବେ ସେମାନେ କେମିତି ଚଳିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି।

Comment