ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

  • ଲକ୍‌ଡାଉନ୍‌ ପ୍ୟାକେଜ ଘୋଷଣା କଲେ ସରକାର
  • ଗରିବ ଓ ନିରାଶ୍ରୟଙ୍କୁ ମିଳିବ ରନ୍ଧା ଖାଦ୍ୟ
  • ପ୍ରତି ପଞ୍ଚାୟତରେ ମିଳିବ ରନ୍ଧା ଖାଦ୍ୟ
  • ୧୦ ଲକ୍ଷ ଗରିବ ଓ ନିରାଶ୍ରୟ ହେବେ ଉପକୃତ
  • ଉଠା ଦୋକାନୀଙ୍କ ପାଇଁ ଆର୍ଥିକ ସହାୟତା
  • ଉଠା ଦୋକାନୀଙ୍କୁ ମିଳିବ ୩୦୦୦ ଟଙ୍କା
  • ୧୧୪ ପୌରାଞ୍ଚଳର ୬୫ ହଜାର ଦୋକାନୀ ହେବେ ଉପକୃତ

ରାଜ୍ୟ ସରକାର ଆଜି ଲକ୍‌ଡାଉନ୍‌ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜରେ ଅଛନ୍ତି ଗରିବ, ନିରାଶ୍ରୟ ଏବଂ ୧୧୪ ପୌରାଞ୍ଚଳର ପଞ୍ଜୀକୃତ ଉଠାଦୋକାନୀ। ଏମାନଙ୍କ ପାଇଁ ଆଜି ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି।

ରାଜ୍ୟରେ ଥିବା ଗରିବ ଓ ନିରାଶ୍ରୟ ଲୋକଙ୍କୁ ଲକ୍‌ଡାଉନ୍‌ ବେଳେ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ସରକାର ଘୋଷଣା କରିଛନ୍ତି। ପ୍ରାୟ ୧୦ ଲକ୍ଷରୁ ଅଧିକ ଗରିବ ଏବଂ ନିରାଶ୍ରୟ ଲୋକ ଏଥିରେ ଉପକୃତ ହେବେ।

ପ୍ରତି ପଞ୍ଚାୟତରେ ଏହି ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏହାର ଦାୟିତ୍ୱ ନେବେ। ଲୋକମାନେ ଘରକୁ ନେଇ ରନ୍ଧା ଖାଦ୍ୟ ଖାଇ ପାରିବେ।

ସେହିପରି ରାଜ୍ୟ ସରକାର ଲକ୍‌ଡାଉନ୍‌ ବେଳେ କ୍ଷତି ସହିଥିବା ଉଠାଦୋକାନୀମାନଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି। ରାଜ୍ୟର ୧୧୪ ପୌରାଞ୍ଚଳର ଉଠା ଦୋକାନୀଙ୍କୁ ୩ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ୬୫ ହଜାରରୁ ଅଧିକ ଉଠାଦୋକାନୀ ଏଥିରେ ଉପକୃତ ହେବେ।

ଗତକାଲି ରାଜ୍ୟ ସରକାର ୨୨୦୦ କୋଟିର କରୋନା ପ୍ୟାକେଜ ଘୋଷଣା କରିଥିଲେ। ଏଥିରେ ନିର୍ମାଣ ଶ୍ରମିକ, ଖାଦ୍ୟ ସୁରକ୍ଷା ଯୋଜନାରେ ଥିବା ହିତାଧିକାରୀ ଏବଂ ସାମାଜିକ ସୁରକ୍ଷା ଯୋଜନାର ହିତାଧିକାରୀମାନଙ୍କ ପାଇଁ ଏହି ପ୍ୟାକେଜ ଘୋଷଣା କରାଯାଇଥିଲା।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ମାର୍ଚ୍ଚ ୨୧ରୁ ୨୯ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ହେଲେ କେନ୍ଦ୍ର ସରକାର ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏପ୍ରିଲ ୧୪ ଯାଏଁ ଏହା ବଳବତ୍ତର ରହିବ। ଏହି ଲକ୍‌ଡାଉନ୍‌ ବେଳେ ଦୋକାନ ବଜାର ବନ୍ଦ ରହିଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିଛି।

Comment