ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

  • ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦୮
  • ଶନିବାର ୪୭ଟି ନୂଆ ଘଟଣା
  • ଆଜି କର୍ଣ୍ଣାଟକରେ କେବଳ ୧୦ ଜଣ ଆକ୍ରାନ୍ତ
  • କରୋନା ମୃତ୍ୟୁ ସଂଖ୍ୟା ୨୧, କେରଳରେ ପ୍ରଥମ ମୃତ୍ୟୁ
  • କରୋନା ମୁକାବିଲା ପାଇଁ ଡାକ୍ତରମାନଙ୍କୁ ଅନଲାଇନ ଟ୍ରେନିଂ
  • ଦିଲ୍ଲୀ ଏମ୍‌ସରେ ସ୍ୱତନ୍ତ୍ର କରୋନା ସେଣ୍ଟର

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି। ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦୦ ଟପିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେବଳ ଶନିବାର ୪୭ଟି ନୂଆ ଘଟଣା ସାମ୍ନାକୁ ଆସିଛି। କର୍ଣ୍ଣାଟକରେ ହିଁ ଆଜି ୧୦ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

କରୋନାରେ ମୃତ୍ୟୁ ସଂଖ୍ୟା ୨୧ରେ ପହଞ୍ଚିଛି। ଆଜି କେରଳରେ ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।

ସେହିପରି ଗୁଜରାଟ ଓ ଜମ୍ମୁ କଶ୍ମୀରରେ ୭ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରେ ୬ ଜଣ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ୪, ତାମିଲନାଡୁରେ ୨ ଏବଂ ଉତ୍ତରାଖଣ୍ଡରେ ଜଣେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଡାକ୍ତରମାନଙ୍କୁ ଅନଲାଇନ୍‌ ଟ୍ରେନିଂ ଦିଆଯାଉଛି। କରୋନା ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। କରୋନା ମୁକାବିଲାରେ ଯେଉଁ ଡାକ୍ତରମାନେ ସାମିଲ ହୋଇଛନ୍ତି ସେମାନେ ଆବଶ୍ୟକ ପଡ଼ିଲେ ଏମ୍‌ସ ଡାକ୍ତରମାନଙ୍କ ସହାୟତା ଲୋଡ଼ି ପାରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି।

ଏହାସହ ଦିଲ୍ଲୀ ଏମ୍‌ସରେ କରୋନା ମୁକାବିଲା ପାଇଁ ସ୍ୱତନ୍ତ୍ର କେନ୍ଦ୍ର କରାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଲକ୍‌ଡାଉନ୍‌ ଯୋଗୁଁ ଏବେ ଶ୍ରମିକମାନେ ନିଜ ଘର ମୁହାଁ ହେଉଛନ୍ତି। ଏଣୁ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଦାୟିତ୍ୱ ସଂପୃକ୍ତ ରାଜ୍ୟ ସରକାରମାନେ କରିବେ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏହାସହ ସେମାନଙ୍କ ରହିବା ଓ ଖାଇବା ଦାୟିତ୍ୱ ମଧ୍ୟ ରାଜ୍ୟମାନେ ବୁଝିବା ଦରକାର ବୋଲି କେନ୍ଦ୍ର ସରକାର କହିଛନ୍ତି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ସବୁ ରାଜ୍ୟ ସରକାରମାନଙ୍କୁ ଚିଠି ଲେଖିଛନ୍ତି।

Comment