ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ସାମାଜିକ ଦୂରତାର ଏକ ଜରୁରୀ ଅବସ୍ଥା ହେଉଛି ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ।

ସେଲଫ୍‌ ବା ହୋମ୍‌ କ୍ୱାରେନ୍‌ଣ୍ଟାଇନ ହେଉଛି ନିଜକୁ ଅନ୍ୟମାନଙ୍କ ସହ ସଂସର୍ଗ ବା ମିଳାମିଶାରୁ ଦୂରେଇ ରଖିବା। ଅର୍ଥାତ୍‌ ପରିବାର ବା ନିଜ ସୋସାଇଟିର ଅନ୍ୟ କୌଣସି ସଦସ୍ୟଙ୍କ ସହ ମିଳାମିଶା ନକରିବା।

ଯଦି ଆପଣ କୌଣସି କରୋନା ସଂକ୍ରମିତ ବା କରୋନା ସନ୍ଦିଗ୍ଧଙ୍କ ସଂପର୍କରେ ଆସିଥାନ୍ତି ଏବଂ ଆପଣ ସୁସ୍ଥ ଅଛନ୍ତି ତେବେ ମଧ୍ୟ ଆପଣଙ୍କୁ ସେଲଫ୍‌ କ୍ୱାରେନ୍‌ଣ୍ଟାଇନ ନେବା ଲାଗି ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। କେବଳ ସେତିକି ନୁହେଁ, ସରକାର ଜାରି କରିଥିବା ନିୟମ ଅନୁଯାୟୀ ଏହା ଆପଣଙ୍କୁ ପାଳନ କରିବାକୁ ପଡ଼ିବ।

କେହି ବିଦେଶରୁ ଆସିଥିଲେ, ସରକାର ଜାରି କରିଥିବା ହେଲପ୍‌ଲାଇନ୍‌ ନମ୍ବର ୧୦୪ରେ କଲ୍‌ କରି କିମ୍ବା www.covid19.odisha.gov.in ପୋର୍ଟାଲ୍‌ ଜରିଆରେ ପଂଜୀକରଣ କରିବାକୁ ହେବ। ତା’ ସହିତ ତାଙ୍କୁ ଓ ତାଙ୍କ ପରିବାରକୁ ୧୪ ଦିନ ପର୍ଯ୍ୟନ୍ତ ହୋମ୍‌ କ୍ୱାରେନ୍‌ଣ୍ଟାଇନରେ ରହିବାକୁ ପଡ଼ିବ।

ହୋମ୍‌ କ୍ୱାରେନ୍‌ଣ୍ଟାଇନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯଦି ଜଣଙ୍କଠାରେ କରୋନା ଭାଇରସ ରହିଥାଏ ତାହା ଯେପରି ଆଉ କାହାକୁ ସଂକ୍ରମିତ ନହେବ।

ଏପରିକି ଯଦି ଜଣେ ଏହି ଭାଇରସ ଦ୍ୱାରା ପ୍ରଭାବିତ ହୋଇଥାନ୍ତି ଏବଂ ତାଙ୍କଠାରେ କରୋନାର କୌଣସି ଲକ୍ଷଣ ପ୍ରକାଶ ପାଇନଥାଏ ତେବେ ମଧ୍ୟ ସେ ସେଲଫ୍‌ କ୍ୱାରେନ୍‌ଣ୍ଟାଇନରେ ରହିବା ଜରୁରୀ। କାରଣ ଏହାଫଳରେ ତାଙ୍କ ମାଧ୍ୟମରେ ଏହି ଭାଇରସ ଅନ୍ୟ କାହାକୁ ସଂକ୍ରମଣ କରିପାରିବ ନାହିଁ।

ସେଲଫ୍‌ ଆଇସୋଲେସନ କ’ଣ?

ସେଲଫ୍‌ ଆଇସୋଲେସନ ହେଉଛି ସେଲଫ୍‌ କ୍ୱାରେଣ୍ଟାଇନର ପରବର୍ତ୍ତୀ ଅବସ୍ଥା। ଅର୍ଥାତ୍‌ ଏହି ଅବସ୍ଥାରେ ଜଣକୁ ଗୋଟିଏ ରୁମ୍‌ ଭିତରେ ଏକ ପ୍ରକାର ଆବଦ୍ଧ ତଥା ଅନ୍ୟମାନଙ୍କଠାରୁ ବିଚ୍ଛିନ୍ନ କରି ରହିବାକୁ ହେବ।

କେଉଁ ପରିସ୍ଥିତିରେ ଜଣେ ସେଲ୍ଫ ଆଇସୋଲେସନ କରିବା ଆବଶ୍ୟକ?

  • ଯଦି ଜଣଙ୍କଠାରେ କରୋନା ସଂକ୍ରମଣର କୌଣସି ଲକ୍ଷଣ ଦେଖାଯାଉଛି।
  • ଯଦି କେହି କରୋନା ପରୀକ୍ଷା ପାଇଁ ନମୁନା ପଠାଇଛନ୍ତି ଏବଂ ଫଳାଫଳ ଜାଣିବା ପାଇଁ ଅପେକ୍ଷା କରିଛନ୍ତି।
  • ଯଦି କାହାଠାରେ କରୋନା ପଜିଟିଭ୍‌ ବାହାରିଛି।

କରୋନା ଭଳି ଲକ୍ଷଣ ଦେଖାଗଲେ କ’ଣ କରିବେ?

  • ଯଦି ଆପଣଙ୍କ ପରିବାରରେ ବା ସୋସାଇଟିରେ କାହାର ଥଣ୍ଡା ଜ୍ୱର ସହ ବାରମ୍ବାର କାଶ ବା ଛିଙ୍କ ହେଉଥାଏ ତେବେ ତାଙ୍କୁ ପ୍ରଥମେ ଅନ୍ୟମାନଙ୍କ ସହ ମିଶିବାରୁ ବାରଣ କରନ୍ତୁ।
  • କାଶିବା ବା ଛିଙ୍କିଲା ବେଳେ ମୁହଁରେ ରୁମାଲ ବା କପଡ଼ା ଦିଅନ୍ତୁ। ପାଖରେ ରୁମାଲ୍‌ ନଥିଲେ ମୁହଁକୁ କହୁଣିରେ ଢାଙ୍କି କାଶନ୍ତୁ।
  • ହାତକୁ ନିୟମିତ ବ୍ୟବଧାନରେ ସାବୁନ୍ ବା ସାନିଟାଇଜରରେ ୨୦ରୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଭଲକରି ଧୁଅନ୍ତୁ।
  • ଆଖି, ପାଟି ଓ ନାକରେ ବାରମ୍ବାର ହାତ ଲଗାନ୍ତୁ ନାହିଁ।
  • ଫୋନ ଯୋଗେ ଡାକ୍ତରଙ୍କ ସହ ପରାମର୍ଶ କରି ଥଣ୍ଡାର ଶିକାର ହୋଇଥିବା ରୋଗୀଙ୍କୁ ଆବଶ୍ୟକ ଔଷଧ ଦିଅନ୍ତୁ।
  • ରୋଗୀଙ୍କଠାରେ ଯଦି ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହୁଏ ତେବେ ତୁରନ୍ତ ସରକାର ଜାରି କରିଥିବା କରୋନା ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪ରେ ଫୋନ୍‌ କରନ୍ତୁ।

ତେବେ କାହାଠାରେ କରୋନା ଭଳି ଲକ୍ଷଣ ଦେଖାଗଲେ କୌଣସି ଡାକ୍ତରଖାନାକୁ ସିଧାସଳଖ ନଯାଇ ପ୍ରଥମେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪ରେ ଫୋନ୍‌ କରନ୍ତୁ।

Comment