ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରବିବାର ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

“ଦେଶର ସମସ୍ତ ଜନସାଧାରଣ ମତେ କ୍ଷମା କରଦିଅନ୍ତୁ। କାରଣ କରୋନା ଭାଇରସ୍ ବିରୋଧରେ ଲଢ଼ିବା ପାଇଁ ସାରା ଦେଶକୁ ଲକଡାଉନ୍ କରିବାକୁ ପଡ଼ିଲା। ଯେଉଁ କାରଣରୁ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ମୋ ଦେଶର ଗରିବ ଭାଇ ଭଉଣୀମାନେ ଏଥିରେ ଅଧିକ ପ୍ରଭାବିତ ହୋଇଛନ୍ତି। ତେଣୁ ସମାନେ ମତେ କ୍ଷମା କରିଦିଅନ୍ତୁ”, ରବିବାର ‘ମନ କି ବାତ୍’ କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ଏଥିସହିତ ସେ କହିଛନ୍ତି ଯେ, ଲକଡାଉନ୍ କାରଣରୁ ଦେଶବାସୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଇପାରନ୍ତି। ଗରିବ ଲୋକମାନେ ନାନାଦି ପ୍ରକାର ଅସୁବିଧା ଭୋଗ କରୁଛନ୍ତି। ସେମାନଙ୍କ ଭିତରୁ କେତେକ ସରକାରକୁ ଗାଳି ମଧ୍ୟ କରୁଛନ୍ତି। ହେଲେ କରୋନା ବିରୋଧରେ ଲଢ଼ିବାକୁ ଏହାହିଁ ଏକମାତ୍ର ଉପାୟ ଥିଲା ବୋଲି ମୋଦୀ କହିଛନ୍ତି।

ସେ କହିଛନ୍ତି କରୋନା ଭାଇରସ ଏବେ ମାନବ ସମାଜକୁ ନାଶ କରିବାକୁ ବସିଛି। ତେଣୁ ଏହା ବିରୋଧରେ ଜିତିବାକୁ ହେଲେ ଆମକୁ କଠିନ ପରିସ୍ଥିତିର ମୁକାବିଲା କରିବାକୁ ପଡ଼ିବ। ଭାରତର ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଲକଡାଉନ୍ ହିଁ ଏକମାତ୍ର ଉପାୟ ଥିଲା ବୋଲି ମୋଦୀ ତାଙ୍କର ଅଭିଭାଷଣରେ କହିଛନ୍ତି।

ସ୍ୱାସ୍ଥ୍ୟକର୍ମୀଙ୍କୁ ସଲାମ୍

ମୋଦୀ ତାଙ୍କର ଅଭିଭାଷଣ ରଖିବା ସମୟରେ ଦେଶର ସମସ୍ତ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ କାମକୁ ପ୍ରଂଶସା କରିଛନ୍ତି। ଏହି ଯୋଦ୍ଧାମାନଙ୍କଠାରୁ ଦେଶର ସମସ୍ତ ନାଗରିକମାନେ ପ୍ରେରଣା ପାଇବେ ବୋଲି ସେ କହିଛନ୍ତି। ଏଥିସହିତ ମୋଦୀ କହିଛନ୍ତି ଯେ, ଏବେ ବି  କିଛି ଲୋକ ଲକଡାଉନ୍ ନିୟମ ମାନୁ ନାହାନ୍ତି। କିଛି ନା କିଛି ବାହାନା କରି ସେମାନେ ନିୟମକୁ ଭାଙ୍ଗିବା ଦେଖିବାକୁ ମିଳୁଛି। ତେବେ ସେମାନେ ଦେଶବାସୀଙ୍କୁ ସୁରକ୍ଷିତ ଦେଖିବାକୁ ଚାହୁଁଥିଲେ ଏଭଳି ନକରନ୍ତୁ ବୋଲି ମୋଦୀ ସେମାନଙ୍କୁ ଅନୁରୋଧ କରିଛନ୍ତି।

କରୋନାର କାହାଣୀ ଶୁଣିଲେ ମୋଦୀ

ରବିବାର ‘ମନ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କରୋନା ଭାଇରସର କେତେକ ସଫଳ କାହାଣୀ ମଧ୍ୟ ଶୁଣିଛନ୍ତି। ଏହି ଅବସରରେ ସେ କରୋନା ଭାଇରସ କବଳରୁ ସୁସ୍ଥ ହୋଇଥିବା ସଫ୍ଟୱେୟାର ଇଞ୍ଜିନିୟର ରାମ୍ ଓ ଆଗ୍ରାର ଅଶୋକ କପୁରଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ଅବସରରେ ସେମାନେ କିଭଳି କରୋନା ଭାଇରସକୁ ମାତ୍ ଦେଲେ ସେ କାହାଣୀ ଦେଶବାସୀ ଶୁଣିଥିଲେ।

ଏଥିସହ ମୋଦୀ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା କିଛି ଡାକ୍ତରଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇଥିଲେ। ଏହି ଡାକ୍ତରମାନେ କିଭଳି ଭାବେ ରୋଗୀମାନଙ୍କ ଚିକିତ୍ସାରେ ନିଜକୁ ନିୟୋଜିତ କରିଛନ୍ତି ସେନେଇ ମୋଦୀ ସେମାନଙ୍କ ସହିତ କଥାବାର୍ତ୍ତା ହୋଇଛନ୍ତି।

ସାମାଜିକ ଦୂରତ୍ୱ ବଢ଼ାଓ, ପରିବାର ସହ କଥା ହୁଅ

ଏହି ଅବସରରେ ମୋଦୀ ଦେଶବାସୀଙ୍କୁ ସାମାଜିକ ଦୂରତ୍ୱ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ଏହି ସମୟରେ ଲୋକମାନେ ନିଜର ପରିବାର ଲୋକଙ୍କ ସହିତ କଥା ହେବା ସହିତ ସେମାନଙ୍କର ପୁରୁଣା ଦିନକୁ ମନେପକାଇବାକୁ କହିଛନ୍ତି। ଖାଲି ସମୟରେ ଏବେ ଲୋକମାନେ ନିଜର ସମସ୍ତ ଇଚ୍ଛାକୁ ପୂରଣ କରିପାରିବେ ବୋଲି ମୋଦୀ ତାଙ୍କର ‘ମନ କି ବାତ୍’ କାର୍ଯ୍ୟକ୍ରମରେ କହିଛନ୍ତି।

Comment