ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦେଶରେ ସମସ୍ତ ରାଜ୍ୟର ସୀମା ସିଲ୍ ହେବ। ଫଳରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଲୋକମାନେ ଯିବା ଆସିବା କରିପାରିବେ ନାହିଁ। କେବଳ ସେତିକି ନୁହେଁ ରାଜ୍ୟ ଭିତରେ ଥିବା ସମସ୍ତ ଜିଲ୍ଲାର ସୀମାକୁ ମଧ୍ୟ ସିଲ୍ କରାଯିବ। ଏନେଇ ରବିବାର କେନ୍ଦ୍ର ସରକାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି।

କରୋନା କାରଣରୁ ସାରା ଦେଶରେ ଏବେ ଲକଡାଉନ୍ ଅଛି। ଏଭଳି ପରିସ୍ଥିତିରେ ମଧ୍ୟ ଲୋକମାନେ ରାଜ୍ୟ ଭିତରେ ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ ଯାଉଥିବା ଦେଖିବାକୁ ମିଳୁଛି। ଏହା ଫଳରେ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କା ଅଧିକ ରହୁଛି। ତେଣୁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ଏଥିସହିତ ରାଜପଥମାନଙ୍କରେ ମଧ୍ୟ କଡ଼ା ଯାଞ୍ଚ ବ୍ୟବସ୍ଥା ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ମାଲବାହୀ ଗାଡ଼ିକୁ ଛାଡ଼ି ରାଜପଥରେ ଅନ୍ୟ କୌଣସି ଗାଡ଼ି ଯେଭଳି ନ ଚାଲିବ ସେନେଇ ଦୃଷ୍ଟି ଦେବାକୁ କୁହାଯାଇଛି। ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଏ ବିଷୟରେ ବୁଝାସୁଝା କରିବେ ବୋଲି କୁହାଯାଇଛି।

ଏଥିସହିତ ସମସ୍ତ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାରମାନେ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେବାକୁ କୁହାଯାଇଛି। ଏଥିସହିତ ସେମାନଙ୍କର ମଜୁରୀ ମଧ୍ୟ ତାଙ୍କୁ ଠିକ୍ ସମୟରେ ମିଳିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ଯଦି କୌଣସି ପ୍ରବାସୀ ଶ୍ରମିକଙ୍କୁ କେଉଁ ବ୍ୟକ୍ତି ଘର ଖାଲି କରିବାକୁ କୁହେ ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

Comment