ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭାରତରେ କରୋନା ଭାଇରସ ସଂକ୍ରମଣ ତୃତୀୟ ବା କମ୍ୟୁନିଟି ଟ୍ରାନ୍ସମିସନ ସ୍ତରକୁ ଯାଇ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ ଶବ୍ଦରେ କୁହାଯାଇଛି। ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ, ଏବେ ଭାରତ ସ୍ଥାନୀୟ ସଂକ୍ରମଣ ବା ଦ୍ଵିତୀୟ ପର୍ଯ୍ୟାୟରେ ହିଁ ରହିଛି। ସେ କହିଛନ୍ତି ଯେ ଆମେ ଯେତେବେଳେ ଗୋଷ୍ଠୀ କଥା ଲେଖୁଛୁ ଲୋକେ ତାହାର କଦର୍ଥ କରୁଥିବା ଦେଖିବାକୁ ମିଳୁଛି।

ସୀମିତ ସଂକ୍ରମଣ ପ୍ରସଙ୍ଗରେ ମନ୍ତ୍ରାଳୟ ପକ୍ଷରୁ ଥରେ ଅଧେ ଗୋଷ୍ଠୀ କଥା ଉଲ୍ଲେଖ କରିବା ବେଳେ ଲୋକେ ତାହାକୁ କମ୍ୟୁନିଟି ଟ୍ରାନ୍ସମିସନ ବୋଲି ଧରି ନେଉଛନ୍ତି ଯେତେବେଳେ କି ଭାରତ ସେହି ଅବସ୍ଥା ପର୍ଯ୍ୟନ୍ତ ଯାଇ ନାହିଁ। ତଥାପି ଲୋକମାନେ ନିଜକୁ ଦୂରତା ବଜାୟ ରଖିବା ଉଚିତ ବୋଲି ସେ କହିଛନ୍ତି। ଅଗ୍ରୱାଲଙ୍କ କହିବା କଥା ଯେ ଅନ୍ୟ ଦେଶରେ ଜଣେ ଲୋକ ୧୦୦ ଜଣକୁ ଆକ୍ରାନ୍ତ କରିଥିବା ଖବର ମିଳିଛି। ଖାଲି ସେତିକି ନୁହେଁ ଜଣେ ସଂକ୍ରମିତ ବ୍ୟକ୍ତିର ଦାୟିତ୍ୱହୀନତା ଯୋଗୁଁ ସମଗ୍ର ଦେଶରେ ସଂକ୍ରମଣ ବ୍ୟାପିବାର ଖବର ବି ଆସିଛି। ଯଦିଓ ଭାରତରେ ସେଭଳି ହୋଇନାହିଁ, ତଥାପି ଆମକୁ ଏଦିଗରେ ସତର୍କ ରହିବାକୁ ହେବ।

ତେଣେ ଗୃହ ବିଭାଗ ପକ୍ଷରୁ କୁହାଯାଇଛି ଯେ ଦେଶରେ ଲକ୍‌ଡାଉନ୍‌ ଠିକ ଚାଲିଛି ଓ ଅତ୍ୟାବଶ୍ୟକୀୟ ଜିନିଷପତ୍ର ଠିକ ଭାବରେ ମିଳୁଛି। ଯେଉଁଠି ବି ସମସ୍ୟା ସୃଷ୍ଟି ହୋଇଛି ସେହି ରାଜ୍ୟର କଣ୍ଟ୍ରୋଲ ରୁମ୍‌ ତାହାର ସମାଧାନ କରୁଛି।

Comment