ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି। ପିପିଇ କିଟ୍ସ, ଏନ୍‌-୯୫ ମାସ୍କ ଓ ଭେଣ୍ଟିଲେଟର ମହଜୁଦ ରଖିବା ଉପରେ ଗୁରୁତ୍ୱ।

ଦେଶରେ କୋଭିଡ-୧୯ର ମୁକାବିଲା ନିମନ୍ତେ ବିଭିନ୍ନ ରାଜ୍ୟଗୁଡିକ ସହିତ ଉଚ୍ଚସ୍ତରୀୟ ଆଲୋଚନା କରାଯାଇ କେତେକ ପଦକ୍ଷେପମାନ ନିଆଯାଇଛି।ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସୁରକ୍ଷା ଉପକରଣ ବା ପିପିଇ, ମାସ୍କ ଏବଂ ଭେଂଟିଲେଟର ଯୋଗାଣକୁ ପର୍ଯ୍ୟାପ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ ଭେଣ୍ଟିଲେଟର ନିର୍ମାଣ କରୁଥିବା ବେଳେ ଅନ୍ୟାନ୍ୟ ଔଷଧ କମ୍ପାନିଗୁଡିକ ଏଭଳି ଜଟିଳ ପରିସ୍ଥିତିରେ ଔଷଧର ଅଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏପରିକି ଅଟୋ ନିର୍ମାଣକାରୀ କମ୍ପାନିଗୁଡିକ ମଧ୍ୟ ଭେଂଟିଲେଟର ନିର୍ମାଣରେ ଲାଗି ପଡିଛନ୍ତି। ଯେକୌଣସି ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ତାଲିମ ଦିଆଯାଇ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରଖାଯାଉଛି।

ବ୍ୟକ୍ତିକୁ ସୁରକ୍ଷା ଯୋଗାଉଥିବା ଉପକରଣ ବା ପିପିଇ କିଟ୍ସ, ଆଇସିୟୁ ବା ଆଇସୋଲେସନ ୱାର୍ଡରେ କର୍ତ୍ତବ୍ୟରତ କର୍ମଚାରୀ ଏଗୁଡିକ ବ୍ୟବହାର କରିଥାନ୍ତି। ସାଧାରଣତଃ ଏହି ସାମଗ୍ରୀଗୁଡିକ ଆମ ଦେଶରେ ତିଆରି ହୋଇ ନଥାଏ । ତେବେ ଭବିଷ୍ୟତରେ ଏହାର ଆବଶ୍ୟକତାକୁ ଆଖି ଆଗରେ ରଖି ଭାରତ ସରକାର ଦେଶରେ ତାହାର ପ୍ରସ୍ତୁତି ପାଇଁ ଆଗୁଆ ପଦକ୍ଷେପମାନ ନେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ବୟନ ମନ୍ତ୍ରଣାଳୟ ମିଳିତ ଭାବେ ଏ ଦିଗରେ କାର୍ଯ୍ୟ କରୁଛନ୍ତି।

ଗୁଣାତ୍ମକ ପିପିଇ କିଟ୍‌ ତିଆରି କରିବା ପାଇଁ ୧୧ ଟି ସଂସ୍ଥାକୁ ବଛାଯାଇଛି। ସେମାନଙ୍କୁ ୨୧ ଲକ୍ଷ ପିପିଇ ପ୍ରସ୍ତୁତ ପାଇଁ ଅର୍ଡର ଦିଆଯାଇଛି। ବର୍ତ୍ତମାନ ସେମାନେ ଦିନକୁ ୬ ରୁ ୭ ହଜାର ପର୍ଯ୍ୟନ୍ତ ପିପିଇ କିଟ ଯୋଗାଉଥିବା ବେଳେ ଆଉ ସପ୍ତାହକ ମଧ୍ୟରେ ଏହା ୧୫ ହଜାର ପର୍ଯ୍ୟନ୍ତ ବୃଦ୍ଧି ପାଇବ।

ଦେଶରେ ବିଭିନ୍ନ ହସ୍ପିଟାଲରେ ବର୍ତ୍ତମାନ ୩ ଲକ୍ଷ ୩୪ ହଜାର ପିପିଇ କିଟ୍‌ ଉପଲବ୍ଧ ଅଛି।  ପ୍ରାୟ ୬୦ ହଜାର ପିପିଇ କିଟ୍‌ ସରକାରଙ୍କ ହାତକୁ ଆସିଯାଇଛି। ଭାରତୀୟ ରେଡକ୍ରସ ସଂସ୍ଥା ଚୀନରୁ ୧୦ ହଜାର ପିପିଇ କିଟ୍‌ ଆଣିବା ପରେ ସେଗୁଡିକୁ ବିଭିନ୍ନ ହସ୍ପିଟାଲକୁ ପଠାଯାଇଛି। ଆଉ ୩ ଲକ୍ଷ ପିପିଇ କିଟ୍‌ ଆସନ୍ତା ମାସ ୪ ତାରିଖ ସୁଦ୍ଧା ଦେଶରେ ଆସି ପହଞ୍ଚିବ। ଭାରତୀୟ ଆୟୁଧ କାରଖାନାକୁ ଇତି ମଧ୍ୟରେ ୩ ଲକ୍ଷ ପିପିଇ କିଟ ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

ସିଙ୍ଗାପୁରସ୍ଥିତ ଏକ କମ୍ପାନିକୁ ଅନଲଇନ ଜରିଆରେ ୧୦ ଲକ୍ଷ ପିପିଇ କିଟ୍‌ ପ୍ରସ୍ତୁତ କରିବାକୁ ବୈଦେଶିକ ମନ୍ତ୍ରଳୟ ଜରିଆରେ ଅର୍ଡର ଦିଆଯାଇଛି। କୋରିଆର ଅନ୍ୟ ଏକ ଯୋଗାଣକାରୀ ସଂସ୍ଥା ମଧ୍ୟ ଚିହ୍ନଟ କରାଯାଇ ୨୦ ଲକ୍ଷ ପିପିଇ କିଟ୍‌ ଯୋଗାଇବା ପାଇଁ କୁହାଯାଇଛି।

ଦେଶର ଦୁଇଟି କମ୍ପାନି ସାଧାରଣତଃ ଏନ୯୫ ମାସ୍କ ପ୍ରସ୍ତୁତ କରିଥାନ୍ତି। ବର୍ତ୍ତମାନ ସମୟରେ ଦିନକୁ ୫୦ ହଜାର ମାସ୍କ ଯୋଗାଉଥିବା ବେଳେ ଆଗାମୀ ସପ୍ତାହକ ମଧ୍ୟରେ ସେମାନେ ତାଙ୍କ ଉତ୍ପାଦନ ୧ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ପ୍ରତିରକ୍ଷା ବିକାଶ ଗବେଷଣା ସଂଗଠନ (ଡିଆରଡିଓ) ସ୍ଥାନୀୟ ପ୍ରସ୍ତୁତକାରୀ ସଂସ୍ଥା ସହ ଯୋଗସୂତ୍ର ସ୍ଥାପନ କରି ଦିନକୁ ୨୦ ହଜାର ଏନ୯୯ ମାସ୍କ ପ୍ରସ୍ତୁତ କରିବା ପାଇଁ ଯୋଜନା କରୁଛି। ଏଗୁଡିକ ସପ୍ତାହକ ମଧ୍ୟରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି।

ବର୍ତ୍ତମାନ ସୁଦ୍ଧା ଦେଶର ବିଭିନ୍ନ ହସ୍ପିଟାଲରେ ପ୍ରାୟ ୧୨ ଲକ୍ଷ ଏନ୯୫ ମାସ୍କ ମହଜୁଦ ରହିଛି। ୫ ଲକ୍ଷ ଅତିରିକ୍ତ ମାସ୍କ ଗତ ଦୁଇ ଦିନ ମଧ୍ୟରେ ବଣ୍ଟା ଯାଇଥିବା ବେଳେ, ୧ ଲକ୍ଷ ୪୦ ହଜାର ମାସ୍କ ଏବେ ବଣ୍ଟା ଯାଉଛି। ସିଙ୍ଗାପୁରରୁ ଆସୁଥିବା ପିପିଇ କିଟ୍‌ ସହିତ ୧୦ ଲକ୍ଷ ମାସ୍କ ମଧ୍ୟ ଆସିବ।

ଶ୍ୱାସକ୍ରିୟା କଷ୍ଟ ଯୋଗୁଁ କୋଭିଡ-୧୯ ଚିକିତ୍ସା ପାଇଁ ଭେଣ୍ଟିଲେଟର ଆବଶ୍ୟକତା ରହିଛି। ଦେଶରେ ଏବେ ୨୦ଜଣ କରୋନା ଆକ୍ରାନ୍ତ ରୋଗୀ ଭେଣ୍ଟିଲେଟର ସହାୟତାରେ ଚିକିତ୍ସିତ ହେଉଛନ୍ତି। ଦେଶବ୍ୟାପୀ ବିଭିନ୍ନ ହସ୍ପିଟାଲରେ ଅଦ୍ୟାବଧି ୧୪ ହଜାର ଭେଣ୍ଟିଲେଟର ମହଜୁଦ ଥିବା ଜଣାଯାଇଛି।

ନୋଇଡାର ଆଗଭା ନାମକ ଏକ ସ୍ୱାସ୍ଥ୍ୟ ରକ୍ଷା ସଂସ୍ଥା ଭଲ ଭେଂଟିଲେଟର ପ୍ରସ୍ତୁତ କରୁଥିବା ଜଣାପଡିବା ପରେ ତାକୁ ୧୦ ହଜାର ଭେଣ୍ଟିଲେଟର ପ୍ରସ୍ତୁତ କରିବା ପାଇଁ ଅର୍ଡର ଦିଆଯାଇଛି। ଏପ୍ରିଲ ମାସ ୨ୟ ସପ୍ତାହ ସୁଦ୍ଧା ଏହାର ଯୋଗାଣ ହେବ।

Comment