ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

     ଲକ୍‌ଡାଉନ ଯୋଗୁଁ ନାନା ଦୁର୍ଦ୍ଦଶା ଭୋଗୁଛନ୍ତି ବାହାର ରାଜ୍ୟରେ ଥିବା ଓଡ଼ିଆ। ଗୁଜୁରାଣ ମେଣ୍ଟାଇବାକୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଓଡ଼ିଆ ଏବେ ଭୋକ ଉପାସରେ ଦିନ କାଟୁଛନ୍ତି।

ଏପ୍ରିଲ ୧୪ ତାରିଖ ଯାଏଁ ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଫଳରେ ଦେଶରେ ବସ ଟ୍ରେନ ଓ ବିମାନ ଚଳାଚଳ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ରାଜ୍ୟ ବାହାରେ ଦାଦନ ଖଟୁଥିବା ଓଡ଼ିଆମାନେ ସେଠାରେ ଫସି ରହିଛନ୍ତି। ବିଭିନ୍ନ ସାମାଜିକ ଗଣମାଧ୍ୟମ ସାହାଯ୍ୟରେ ଭିଡିଓ ସେୟାର କରି ସେମାନଙ୍କୁ ଉଦ୍ଧାର କରିବାକୁ ରାଜ୍ୟ ସରକାରଙ୍କୁ ଗୁହାରି କରୁଛନ୍ତି।

କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ବାରମ୍ବାର ସାମାଜିକ ଦୂରତା ରକ୍ଷା କରିବାକୁ ଅପିଲ କରାଯାଉଛି। ହେଲେ ରାଜ୍ୟ ବାହାରେ ଥିବା ଓଡ଼ିଆମାନଙ୍କ ପାଇଁ ଏହା ମାନିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଛି। ଲକ୍‌ଡାଉନ ଯୋଗୁ ନିଜ ରାଜ୍ୟକୁ ଫେରିନପାରି ଏମାନେ ଏବେ ଗୋଟିଏ ଯାଗାରେ ରହିବାକୁ ଲାଗିଛନ୍ତି। ଫଳରେ ସେଠାରେ ସାମାଜିକ ସଂକ୍ରମଣର ଆଶଙ୍କା ଦେଖା ଦେଇଛି। ଏହାନକୁ ନେଇ ବାହାର ରାଜ୍ୟରେ ରହୁଥିବା ଓଡ଼ିଆମାନେ ଭୟବୀତ ହୋଇ ରହିଛନ୍ତି ।

ବାହାର ରାଜ୍ୟରେ ଥିବା ଓଡ଼ିଆମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବାକୁ ଅନ୍ୟ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲେ ରାଜ୍ୟ ସରାକାର। ଏହାସହ କେନ୍ଦ୍ର ସରକାର ମଧ୍ୟ ଯିଏ ଯେଉଁଠି ଅଛନ୍ତି ସେମାନଙ୍କୁ ସମସ୍ତ ପ୍ରକାରର ଜରୁରୀ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।  ହେଲେ ବାହାର ରାଜ୍ୟର ସରକାର ପ୍ରବାସୀ ଓଡ଼ିଆଙ୍କୁ କୌଣସି ପ୍ରକାର ସହଯୋଗ କରୁନଥିବା ଅଭିଯୋଗ ହୋଇଛି। ଲୋକେ ଖାଇବାକୁ ନପାଇ ଭୋକ ଉପାସ ଦିନ କାଟୁଥିବା ଅଭିଯୋଗ କରିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ରାମନଗର, ଖରିନାସୀ, ଜମ୍ବୁ ଓ ବତୀଘର ଅଞ୍ଚଳର ଲୋକେ ରୋଜଗାର କରିବାକୁ ତାମିଲନାଡ଼ୁ ଯାଇଥିଲେ। ସେଠାରେ ଏକ କାରଖାନାରେ କାମ କରୁଥିଲେ। ହେଲେ ଲକ୍‌ଡାଉନ ଯୋଗୁଁ କାରଖାନା ବନ୍ଦ ହୋଇଗଲା। ଏହାପରଠାରୁ ସେଠାରେ ଲୋକେ ଭୋକ ଉପାସରେ ଦିନ କାଟୁଛନ୍ତି। ଓଳିଏ ଖାଇଲେ ଓଳିଏ ଉପାସରେ ରହୁଛନ୍ତି। ପରିବା ଚଢ଼ା ଦରରେ ବିକ୍ରି ହେଉଛି। ପାଖରେ ପଇସା ନଥିବାରୁ ସେମାନ ପରିବା କିଣିବାକୁ ସକ୍ଷମ ହୋଇପାରୁନଥିବା ଅଭିଯୋଗ କରିଛନ୍ତି।

ସେହିଭଳି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ମଧ୍ୟ କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ଓଡିଆ ଫସି ରହିଛନ୍ତି। ସେଠାରେ ଦିନ ମଜୁରୀଆ ଭାବେ କାମ କରୁଥିଲେ। ହେଲେ ୮ ଦିନ ହେଲା ଲକ୍‌ଡାଉନ ଯୋଗୁଁ ସେମାନଙ୍କ ରୋଜଗାର ବନ୍ଦ ହୋଇ ଯାଇଛି। ପାଖରେ ଥିବା ଟଙ୍କା ପଇସା ସରି ଆସିଲାଣି। ଏବେ ଆଗକୁ ଦିନ କେମିତି କାଟିବେ ସେନେଇ ଚିନ୍ତାରେ। ସେପଟେ ମାସ ପୁରି ନଥିବାରୁ କାମ କରୁଥିବା ଠିକାଦାର ମଧ୍ୟ ପଇସା  ନଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ପ୍ରଶାସନକୁ ଗୁହାରି କଲେ ସୁଦ୍ଧା କିଛି ଲାଭ ହେଉନଥିବା ଅଭିଯୋଗ ହୋଇଛି।

ସରକାର ଜାରି କରିଥିବା ହେଲ୍ପ ଲାଇନ ନମ୍ବରରେ ଯେତେ ଯୋଗାଯୋଗ କଲେ ବି କିଛି ଫଳ ମିଳୁନାହିଁ। ଫଳରେ ବାହାର ରାଜ୍ୟରେ ଥିବା ଓଡ଼ିଆମାନେ ଏବେ ଘରକୁ କିପରି ଫେରିବେ ସେନେଇ ଚିନ୍ତାରେ।

Comment